ପୂର୍ବୋତ୍ତରରେ ୬୫ ପ୍ରତିଶତ କମିଛି ଆତଙ୍କବାଦ, ବିଦ୍ରୋହ: ଅମିତ ଶାହ

Published By : Prameya-News7 Bureau | October 21, 2023 IST

ନୂଆଦିଲ୍ଲୀ: ପୂର୍ବୋତ୍ତରରେ ୬୫ ପ୍ରତିଶତ କମିଛି ଆତଙ୍କବାଦୀ, ବାମପନ୍ଥୀ ଉଗ୍ରବାଦ ଏବଂ ବିଦ୍ରୋହ। ଶନିବାର ଜାତୀୟ ପୋଲିସ୍‌ ମେମୋରିଆଲ୍‌ ଠାରେ ପୋଲିସ୍‌ କମେମୋରେସନ ଦିବସ ପାଳନ ଅବସରରେ ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏଠାରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଉଦ୍‌ବୋଧନ ଦେଇ ଗୃହମନ୍ତ୍ରୀ କହିଛନ୍ତି ‘ନରେନ୍ଦ୍ର ମୋଦୀ ଆତଙ୍କବାଦୀକୁ ଦମନ କରିବାକୁ ଶୂନ୍ୟ ସହନଶୀଳତା ପଲିସି ଆପଣାଇଛନ୍ତି।’’

ସେ ଆହୁରି କହିଛନ୍ତି, ‘‘ପୂର୍ବୋତ୍ତର ଏବଂ ଜମ୍ମୁ କାଶ୍ମୀରରେ ବାମପନ୍ଥୀ ଉଗ୍ରବାଦୀଙ୍କ ସଂଖ୍ୟା ବଢ଼ିଥିଲା। ହେଲେ ଏବେ ଏଠାରେ ଶାନ୍ତି ଫେରିଛି। ଆଉ ଏଥିପାଇଁ ସେ ପୋଲିସ୍‌ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଆମର ପୋଲିସ୍‌କର୍ମୀ, ଆତଙ୍କବାଦୀ ସହ ଲଢ଼ିବା, ଅପରାଧକୁ ଦୂରେଇ ରଖିବା, ଆଇନ ବ୍ୟବସ୍ଥା ବଜାୟ ରଖିବା ଏବଂ ବିପର୍ଯ୍ୟୟ ସମୟରେ ଆମକୁ ସୁରକ୍ଷା ଦେଉଛନ୍ତି। ଆଉ ଏହି ପୋଲିସ୍ କର୍ମୀ ନିଜକୁ ପ୍ରମାଣିତ କରିଛନ୍ତି। ପୋଲିସ ଫୋର୍ସର ଆଧୁନିକୀକରଣ ପାଇଁ "ପୋଲିସ ଟେକ୍ନୋଲୋଜି ମିଶନ" ଗଠନ କରି ବିଶ୍ୱର ସର୍ବଶ୍ରେଷ୍ଠ ଆତଙ୍କବାଦ ବିରୋଧୀ ଶକ୍ତି ଗଠନ ଦିଗରେ ସରକାର ମଧ୍ୟ କାର୍ଯ୍ୟ କରିଛନ୍ତି।’’

ଆହୁରି ପଢ଼ନ୍ତୁ: ଦେଶରେ ୨ ବର୍ଷରେ ସମାପ୍ତ ହେବ ବାମପନ୍ଥୀ ଉଗ୍ରବାଦ: ଅମିତ ଶାହ

ଏନଡିଆରଏଫ୍‌ କର୍ମୀଙ୍କୁ ମଧ୍ୟ କଲେ ପ୍ରଶଂସା:

ଏହି ଅବସରରେ ଏନଡିଆରଏଫ କର୍ମୀଙ୍କ ଭୂମିକା ବିଷୟରେ କହିବା ସହ ସେ କହିଛନ୍ତି ‘‘ଏନଡିଆରଏଫ କର୍ମୀ ଆଜି ବିପର୍ଯ୍ୟୟ ସମୟରେ ସେମାନଙ୍କର ସାହାସିକତା ପାଇଁ ବିଶ୍ବରେ ପରିଚିତ ହୋଇଛି। କେତେବି ଅସୁବିଧା ହେଉନା କାହିଁକି କେତେବି ଭୟଙ୍କର ସ୍ଥିତି ହେଉନା କାହିଁକି ସେମାନେ ସବୁ ପରିସ୍ଥିତିରେ ଛିଡ଼ା ହୋଇଛନ୍ତି। ଦୁର୍ଘଟଣା ସ୍ଥଳରେ ଏନଡିଆରଏଫ କର୍ମୀଙ୍କ ପହଞ୍ଚିବା ଦ୍ବାରା ଲୋକଙ୍କ ମଧ୍ୟରେ ବିଶ୍ବାସ ଆସିଥାଏ।

ପୋଲିସ ଅଧିକାରୀଙ୍କ ହିତ ପାଇଁ ବିଭିନ୍ନ ସ୍କିମ୍‌ରେ ହେଉଛି ପରିବର୍ତ୍ତନ

ଶାହ ଆହୁରି କହିଛନ୍ତି ମୋଦୀ ସରକାର ସମୟ ସମୟରେ ପୋଲିସ ଅଧିକାରୀଙ୍କ ହିତ ପାଇଁ ବିଭିନ୍ନ ସ୍କିମ୍‌ରେ ପରିବର୍ତ୍ତନ ଆଣୁଛନ୍ତି। ମୋଦୀ ସରକାର ପୋଲିସ୍‌ ଅଧିକାରୀଙ୍କ ସୁରକ୍ଷା ପାଇଁ ସଚେତନ ଅଛନ୍ତି। ସ୍ବାଧୀନତା ପରଠାରୁ ଦେଶ ପାଇଁ ସେବା ଯୋଗାଇ ଶହିଦ ହୋଇଥିବା ୩୬,୨୫୦ ପୋଲିସ୍‌ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେ କହିଛନ୍ତି ପୋଲିସ୍‌ ସ୍ମାରକୀ କେବଳ ଏକ ଚିହ୍ନ ନୁହେଁ ବରଂ ପୋଲିସ୍‌କର୍ମୀଙ୍କ ଦେଶ ନିର୍ମାଣ ପାଇଁ ଏକାଗ୍ରତା ଏବଂ ବଳିଦାନର ପ୍ରତୀକ।

ଆହୁରି ପଢ଼ନ୍ତୁ: NDAରେ ସାମିଲ ହେଲା ଦେବଗୌଡାଙ୍କ JDS, ଅମିତ ଶାହ ଓ ନଡ୍ଡାଙ୍କୁ ଭେଟିଲେ କୁମାର ସ୍ୱାମୀ

ସୂଚନାଯୋଗ୍ୟ, ୧୯୫୯ ଅକ୍ଟୋବର ୨୧ରେ ଲଦାଖରେ ଡ୍ୟୁଟି ସମୟରେ, ଚୀନ ସେନା ଦ୍ବାରା ଆକ୍ରମଣରେ ପ୍ରାଣ ହରାଇଥିଲେ ୧୦ ପୋଲିସକର୍ମୀ । ସେବେଠାରୁ ଅକ୍ଟୋବର ୨୧କୁ ଏହି ଶହିଦଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ପାଳନ କରାଯାଉଛି। ଆଉ ପୋଲିସ୍ କର୍ମଚାରୀଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ ଏବଂ ଜାତୀୟ ସୁରକ୍ଷା ତଥା ଅଖଣ୍ଡତା ରକ୍ଷା କରିବାରେ ସେମାନଙ୍କର ପ୍ରମୁଖ ଭୂମିକାକୁ ସ୍ୱୀକୃତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହାରେ ପୋଲିସ୍ ସ୍ମୃତି ଦିବସରେ ଜାତୀୟ ପୋଲିସ୍ ମେମୋରିଆଲ୍ (ଏନପିଏମ୍)କୁ ଦେଶକୁ ଉତ୍ସର୍ଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.