ବ୍ରହ୍ମପୁର ମହାନଗର ନିଗମ ଏବଂ ରାଜ୍ୟର ୬୫ଟି ପୌର ପାଳିକାରେ ପ୍ରଶାସକ ନିଯୁକ୍ତ

Published By : Prameya-News7 Bureau | September 29, 2018 IST

ଭୁବନେଶ୍ୱର ୨୯/୯: ବ୍ରହ୍ମପୁର ମହାନଗର ନିଗମ ଏବଂ ରାଜ୍ୟର ୬୫ଟି ପୌର ପାଳିକାରେ ପ୍ରଶାସକ ନିଯୁକ୍ତ । ଆଜି ଏସବୁ ପୌରପାଳିକାର କାର୍ଯ୍ୟକାଳ ସରିଥିବା ବେଳେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଶାସକ ନିଯୁକ୍ତ କରାଯାଇଛି । ୨୦ଟି ଜିଲ୍ଲାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନିର୍ବାଚିତ ଲୋକପ୍ରତିନିଧିଙ୍କ ପରିବର୍ତ୍ତେ ଏଣିକି ସମସ୍ତ କ୍ଷମତା ପ୍ରଶାସନକଙ୍କ ହାତରେ ରହିବ । ଏସବୁ ପୌର ସଂସ୍ଥାର କାର୍ଯ୍ୟକାଳ ଆଜି ଶେଷ ହୋଇଛି । ତେଣୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ନଗର ଉନ୍ନୟନ ବିଭାଗ ଏହି ନିଯୁକ୍ତି ଦେଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି । ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଏହି ପ୍ରଶାସକମାନେ ନିଜ ନିଜ ପୌରପାଳିକା ଦାୟିତ୍ବରେ ରହିବେ । ବ୍ରହ୍ମପୁର ମହାନଗର ନିଗମ ପାଇଁ ଗଞ୍ଜାମ ଜିଲ୍ଲାପାଳ ହୋଇଛନ୍ତି ପ୍ରଶାସକ । ଗଞ୍ଜାମ ଜିଲ୍ଲାପାଳଙ୍କ ହାତରେ ବ୍ରହ୍ମପୁର ନଗର ନିଗମର କ୍ଷମତା ରହିବ । ସେହିପରି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ପ୍ରଶାସକ ଦାୟିତ୍ୱ ମିଳିଛି। ସଂରକ୍ଷଣ ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ତେବେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ ରାୟ ଦେବା ପରେ, ଆଜି ସରିଛି ୬୬ଟି ପୌରପାଳିକାର ଅବଧି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.