ଗୋଟିଏ ବର୍ଷରେ ‘ନୋ ଫ୍ଲାଇ ଲିଷ୍ଟ’ରେ ୬୩ ଜଣ, ଜାଣନ୍ତୁ ବିମାନ ପରିସ୍ରା ଘଟଣାରେ କ’ଣ ନିଆଯାଇଛି କାର୍ଯ୍ୟାନୁଷ୍ଠାନ…
6/02/2023 at 7:26 PM

ନୂଆଦିଲ୍ଲୀ: ଗତ ଏକ ବର୍ଷରେ ଡିଜିସିଏ ମୋଟ ୬୩ ଜଣ ଯାତ୍ରୀଙ୍କୁ ‘ନୋ ଫ୍ଲାଇ ଲିଷ୍ଟ’ରେ ରଖିଛି । ଏୟାରଲାଇନର ଆଭ୍ୟନ୍ତରୀଣ କମିଟିର ସୁପାରିଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ବିକେ ସିଂ ଏହି ସୂଚନା ଦେଇଛନ୍ତି ।
ସିଏଆର ପ୍ରବଧାନ ଅନୁସାରେ ଡିଜିସିଏ ଉଡାଣ ସହ ଜଡିତ ଏକ ‘ନୋ ଫ୍ଲାଇ ଲିଷ୍ଟ’ ଜାରି କରିଥାଏ । ଏଥିରେ ଘଟଣାର ତାରିଖ, ସେକ୍ଟର, ଉଡାଣ ସଂଖ୍ୟା, ପ୍ରତିବନ୍ଧର ଅବଧି ଆଦି ସାମିଲ ରହିଥାଏ । ଗତ ବର୍ଷରେ ‘ନୋ ଫ୍ଲାଇ ଲିଷ୍ଟ’ରେ ଥିବା ଅଧିକାଂଶ ଯାତ୍ରୀ ମାସ୍କ ପିନ୍ଧି ନଥିଲେ କିମ୍ୱା ବିମାନ କର୍ମଚାରୀଙ୍କ ନିର୍ଦ୍ଦେଶକୁ ପାଳନ କରିନଥିଲେ ।
ଅନ୍ୟପଟେ ପରିସ୍ରା ସମ୍ପର୍କୀତ ଦୁଇଟି ମାମଲାରେ ନିୟମର ଅନୁପାଳନ ଉଲ୍ଲଂଘନରେ ଡିଜିସିଏ ଏୟାର ଇଣ୍ଡିଆ ଉପରେ ପ୍ରାୟ ୪୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛି । ଏହାସହ ଏୟାର ଇଣ୍ଡିଆର ଉଡାଣ ସେବା ନିର୍ଦ୍ଦେଶକଙ୍କ ଉପରେ ତିନି ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଥିଲା ।