ତେହରାନ ୩୦/୧୧: ଇରାନର ପରମାଣୁ ବୈଜ୍ଞାନିକଙ୍କ ହତ୍ୟା ସହ ଜଡ଼ିତ ନୂଆ କଥା ସାମନାକୁ ଆସିଛି। ଶୁକ୍ରବାର ଇରାନର ଶକ୍ତିଶାଳୀ ବ୍ୟକ୍ତି ଏବଂ ପରମାଣୁ ବୈଜ୍ଞାନିକ ମୋହସିନ୍ ଫଖରୀଜାଦେହଙ୍କ ହତ୍ୟା କରି ଦିଆଯାଇଛି। ଇରାନ ଏହି ହତ୍ୟା ଅଭିଯୋଗ ଇସ୍ରାଏଲ୍ ଉପରେ ଲଗାଇଛି ଏବଂ ଘଟଣା ପରେ ଇସ୍ରାଏଲ୍ ତରଫରୁ ଦୀର୍ଘ ସମୟ ଯାଏଁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଏହା ପରେ ଜଣା ପଡ଼ିଥିଲା ଯେ ୬୨ଜଣ ମିଶି ଫଖରୀଜାଦେହଙ୍କୁ ହତ୍ୟା କରିଥିଲେ।
ଡେଲି ମେଲ୍ର ରିପୋର୍ଟ ଅନୁଯାୟୀ,ଈରାନୀ ସାମ୍ବାଦିକ ମହମ୍ମଦ ଅହବାଜେ ଲିକ୍ ଡକ୍ୟୁମେଣ୍ଟ ଆଧାରରେ ଦାବି କରିଛନ୍ତି ଯେ ଇରାନର ରକ୍ଷା ମନ୍ତ୍ରଣାଳୟଙ୍କ ରିସର୍ଚ୍ଚ ଆଣ୍ଡ ଇନୋଭେସନ ଅର୍ଗନାଇଜେସନର ପ୍ରମୁଖ ଫଖରୀଜାଦେହଙ୍କ ହତ୍ୟା କରିବା ପାଇଁ ତେହରାନର ମୁଖ୍ୟରାସ୍ତାରେ ୧୨ଜଣ ଲୋକ ପହଞ୍ଚିଥିଲେ। ଅନ୍ୟ ୫୦ଜଣ ଆଉ ଏକ ସ୍ଥାନରୁ ହତ୍ୟାକାରୀଙ୍କୁ ସାହାଯ୍ୟ କରୁଥିଲେ।
ଈରାନୀ ସାମ୍ବାଦିକଙ୍କ କହିବା ଅନୁସାରେ ହତ୍ୟାକାରୀମାନେ ଆକ୍ରମଣ କରିବା ପାଇଁ ବିଦେଶରୁ ଖାସ୍ ଟ୍ରେନିଂ ନେଇଥିଲେ ଏବଂ ବୈଦେଶିକ ସୁରକ୍ଷା ଏବଂ ଗୁଇନ୍ଦା ସେବା ସହ ଜଡ଼ିତ ଥିଲେ। ଆକ୍ରମଣକାରୀ ୨ଟି କାର୍ ଏବଂ ୪ଟି ବାଇକ୍ ବ୍ୟବହାର କରିଥିଲେ। ଘଟଣାର କିଛି ସମୟ ପୂର୍ବରୁ ସେହି ଅଞ୍ଚଳର ବିଦ୍ୟୁତ୍ କଟାଯାଇଥିଲା।
ଫଖରୀଜାଦେହଙ୍କ ବାହିନୀର ବୁଲେଟପୃଫ୍ କାର୍ ସେଠାରେ ପହଞ୍ଚିବାମାତ୍ରେ ସେଠାରୁ ପୂର୍ବରୁ ଥିବା ଏକ ଗାଡ଼ିରେ ବିସ୍ଫୋରଣ କରାଯାଇଥିଲା। ଇରାନର ଲିକ୍ ହୋଇଥିବା ଦସ୍ତାବିଜରୁ ଜଣା ପଡ଼ିଥାଏ ଯେ ଫଖରୀଦାଜେହଙ୍କୁ କାର୍ରୁ ବାହାରକୁ ଆଣି ଗୁଳି କରାଯାଇଥିଲା।
ଘଟଣା ପରେ ସମସ୍ତ ଆକ୍ରମଣକାରୀ ସେଠାରୁ ଗାୟବ ହୋଇଯାଇଥିଲେ। ହତ୍ୟା କରିଥିବା ୧୨ଜଣଙ୍କ ମଧ୍ୟରୁ କେହି ବି ଆହତ ହୋଇ ନାହାନ୍ତି କି ଏବେ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ। ଫଖରୀଜାଦେହ ଇରାନର ଏତେ ବଡ଼ ବିଶିଷ୍ଟ ବ୍ୟକ୍ତି ଥିଲେ ଯେ ତାଙ୍କୁ ଦେଶର ପରମାଣୁ କାର୍ଯ୍ୟକ୍ରମର ଜନକ କୁହାଯାଉଥିଲା।