ଦୀର୍ଘ ବର୍ଷର ବ୍ୟବଧାନ ପରେ ପାରାଦୀପ ବନ୍ଦରରେ ଲାଗିଲା ଯାତ୍ରୀବାହୀ ଜାହାଜ : ଆମେରିକା, ଅଷ୍ଟ୍ରେଲିଆ, ୟୁକେ, ସାଉଥ ଆଫ୍ରିକାରୁ ଆସିଛନ୍ତି ୬୨ଜଣ ପର୍ଯ୍ୟଟକ
26/01/2019 at 5:44 PM

ପାରାଦୀପ୨୬|୧: ଦୀର୍ଘ ବର୍ଷର ବ୍ୟବଧାନ ପରେ ପାରାଦୀପ ବନ୍ଦରରେ ଲାଗିଲା ଯାତ୍ରୀବାହୀ ଜାହାଜ ଏମଭି ସିଲଭର ଡିସକଭରର । ଏହି ଜାହାଜରେ ଆସିଥିବା ୬୨ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ପାରାଦୀପ ବନ୍ଦର ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏଥି ସହ ସେମାନେ କିଭଳି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାରିବେ ସେ ନେଇ ସବୁ ପ୍ରକାର ବ୍ୟବସ୍ଥା କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । …..

୭୦ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପାରାଦୀପ ବନ୍ଦର ପାଇଁ ଆସିଛି ଖୁସି ଖବର । ଦୀର୍ଘବର୍ଷର ବ୍ୟବଧାନ ପରେ ପାରାଦୀପ ବନ୍ଦରରେ ଲାଗିଛି ଯାତ୍ରୀବାହୀ ଜାହାଜ ଏମଭି ସିଲଭର ଡିସକଭରର । ୬୨ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଏହି ଜାହଜକୁ ପାରାଦୀପ ପୋର୍ଟ ପକ୍ଷରୁ ଏସକର୍ଟ କରି ବନ୍ଦରର ମେରାଇନ୍ ବର୍ଥକୁ ଅଣାଯାଇଥିଲା ।

ପରେ ଓଡ଼ିଶାର ପରମ୍ପରା ଅନୁସାରେ ଏହି ପର୍ଯ୍ୟଟକମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ବନ୍ଦର ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ମନଭରି ଉପଭୋଗ କରିଥିଲେ ବିଦେଶୀ ପର୍ଯ୍ୟଟକମାନେ । ଆମେରିକା, ଅଷ୍ଟ୍ରେଲିଆ, ୟୁକେ, ସାଉଥ ଆଫ୍ରିକାରୁ ଆସିଥିବା ଏହି ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଓଡ଼ିଶାର କଳା ସଂସ୍କୃତି ସମ୍ପର୍କରେ ଜାଣିବାକୁ ବେଶ୍ ଆଗ୍ରହୀ ଅଛନ୍ତି ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇବା ବ୍ୟବସ୍ଥା କରାଯାଇଛି ।

ଜାହାଜ ଏମଭି ସିଲଭର ଡିସକଭରର ଆସିଥିବା ପର୍ଯ୍ୟଟକଙ୍କୁ ଛାଡ଼ିଦେଲେ ଏଥିରେ ୯୩ଜଣ କ୍ର୍ୟୁ ମେମ୍ବର ଅଛନ୍ତି । ତେବେ ପଣ୍ୟ ପରିବହନ ଦିଗରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାରାଦୀପ ବନ୍ଦରକୁ ଆଗାମୀ ଦିନରେ ନିୟମିତ ଭାବେ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଉଛି । ଯାହା ଫଳରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏହାର ସୁଫଳ ମିଳିପାରିବ ।
