‘୬୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨୪ ଜଣ ମହିଳାଙ୍କ ସମେତ ମୋଟ ୬୬୮ ଜଣ ଗିରଫ, ୪୩୫ଟି କେସ ରୁଜୁ’
9/11/2018 at 5:37 PM

ଭୁବନେଶ୍ବର ୯|୧୧: ରାଜ୍ୟରେ ଚୋରା ଗଞ୍ଜେଇ ଚାଲାଣ ଓ ଉତ୍ପାଦନକୁ ରୋକିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜ୍ୟ ପୋଲିସ ବିଭାଗ । ଆଗାମୀ ଦିନରେ ମଧ୍ୟ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯିବ । ଏଥି ସହ ଛତିଶଗଡ଼ ନିର୍ବାଚନକୁ ନଜରରେ ରଖି ସୀମାନ୍ତ ଜିଲ୍ଲାଗୁଡ଼ିକ ଉପରେ କଡ଼ା ନଜର ରଖାଯିବ ବୋଲି କହିଛନ୍ତି ପୋଲିସ ଡିଜି । ୨୦୧୮ରେ ରାଜ୍ୟରେ ରେକର୍ଡ ପରିମାଣର ଗଞ୍ଜେଇ ଜବତ ହୋଇଛି ବୋଲି ପୋଲିସ ଡିଜିଙ୍କ ଆୟୋଜିତ କର୍ମଶାଳାରେ ସୂଚନା ଦିଆଯାଇଛି ।୨୦୧୮ରେ ରେକର୍ଡ ପରିମାଣର ୬୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ।ଗଞ୍ଜେଇ ଚାଷର ଉତ୍ପାଦନ ଓ ଚାଲାଣକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।ଏହାସହ ୯୧୫.୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।୧୧୫ଟି ଗାଡି, ସେଥିମଧ୍ୟରେ ୧୧ଟି ଟ୍ରକ, ୪୭ଟି ୪ ଚକିଆ, ଦୁଇଟି ୩ ଚକିଆ ଏବଂ ୫୫ଟି ଦୁଇ ଚକିଆ ଗାଡି ଜବତ କରାଯାଇଛି ।ଏହାସହ ୧୨ ଲକ୍ଷ ଟଙ୍କା ଜବତ ହୋଇଛି ବୋଲି ପୋଲିସ ଡିଜି ାର ପି ଶର୍ମା କହିଛନ୍ତି ।ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରୁ ଏସବୁ ଜବତ ହୋଇଛି ।ଓଡିଶା ପୋଲିସ ମୋଟ ୪୩୫ଟି କେସ ରୁଜୁ କରିଛି ।ମୋଟ ୬୬୮ ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୨୪ ଜଣ ମହିଳା । ୨୦୧୭-୧୮ରେ କନ୍ଧମାଳରେ ୨୪୨୪ ଏକର , ବୌଦ୍ଧରେ ୮୪୦ ଏକର ଏବଂ ଗଜପତି ୭୭୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।ଗଞ୍ଜେଇ ଚାଲାଣ ରୋକିବାକୁ ଜଙ୍ଗଲ, ଅବକାରୀ, ରାଜସ୍ବ ବିଭାଗ ମିଳିତ ଭାବେ କାମ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।
ସାବାଡ଼ ହେବେ ଚୋରା ଗଞ୍ଜେଇ ଚାଲାଣକାରୀ ଓ ବ୍ରାଉନସୁଗାର ବେପାରୀ । ରାଜ୍ୟରେ ଏହାର ମୂଳପୋଛ କରିବାକୁ ଏବେ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ଇଓଡବ୍ଲୁ ଏବଂ ଏସଟିଏଫ୍ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି । ରାଜ୍ୟ ପୋଲିସ, ଜଙ୍ଗଲ ଓ ପରିବେଶ ବିଭାଗ, ରାଜସ୍ବ ବିଭାଗ, ଅବକାରୀ ବିଭାଗ ଓ ଗୁଇନ୍ଦା ବିଭାଗର ମିଳିତ ଉଦ୍ୟମରେ ରାଜ୍ୟରେ ଚୋରା ଗଞ୍ଜେଇ ଚାଲାଣ ଓ ଏହାର ଉତ୍ପାଦନକୁ ବହୁମାତ୍ରାରେ ରୋକାଯାଇପାରିଛି ।
ଏହାଛଡ଼ା ଛତିଶଗଡ଼ ନିର୍ବାଚନକୁ ନଜରରେ ରଖି ସୀମାନ୍ତ ଜିଲା ଗୁଡ଼ିକରେ ସତର୍କ ରହିଛି ପୋଲିସ ବିଭାଗ । ବେଆଇନ୍ ମଦ ଓ ଟଙ୍କା କାରବାର ସହ ମାଓ ଆକ୍ଟିଭିଟି ଉପରେ ମଧ୍ୟ ରହିଛି ପୋଲିସର କଡ଼ା ନଜର । ସେହିଭଳି ଦ୍ରେବିଗଡ଼ ବାଘ ମୃତ୍ୟୁ ଘଟଣାରେ ୪ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ।