କମୁଛି ସଂକ୍ରମଣ ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୦୭ ସଂକ୍ରମିତ

Published By : Prameya-News7 Bureau | December 07, 2020 IST

ଭୁବନେଶ୍ଵର ୦୭।୧୨: ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଯାହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର। କାରଣ ଓଡିଶାରେ କରୋନାର ପ୍ରକୋପ କମିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିବା ସଭିଙ୍କ ଚିନ୍ତାକୁ ହ୍ରାସ କରିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୬, ୪୪୭କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୋମବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ମୟୂରଭଞ୍ଜରୁ ସର୍ବାଧିକ ୯୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ପରି ନୂଆପଡାରୁ ୬୧, ସୁନ୍ଦରଗଡରୁ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୬, କଟକରୁ ୩୧, ବରଗଡରୁ ୨୫, କେନ୍ଦୁଝରରୁ ୨୫, ପୁରୀରୁ ୨୫, ବାଲେଶ୍ବରରୁ ୧୯, କଳାହାଣ୍ଡିରୁ ୧୯, ଯାଜପୁରରୁ ୧୭, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରରୁ ୧୫, ଜଗତସିଂପୁର ୧୫, ଗଞ୍ଜାମରୁ ୧୧, କେରାପୁଟରୁ ୯, ଝାରସୁଗୁଡାରୁ ୭, ଭଦ୍ରକରୁ ୫, ମାଲକାନାଗିରିରୁ ୫, ଢେଙ୍କନାଳରୁ ୪, ସୋନପୁରରୁ ୪, ଦେବଗଡରୁ ୩, ରାୟଗଡାରୁ ୩, ବୌଦ୍ଧ, ଗଜପତି, ନବରଙ୍ଗପୁର ଓ ନୟାଗଡରୁ ୨ ଜଣ, କନ୍ଧମାଳରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୫୬୪କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୭୮ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.