ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବିଏସ୍ଏଫ୍ର ପ୍ରଭାବ, ମୁଖ୍ୟ ସ୍ରୋତକୁ ଫେରିଲେ ୯୦୦ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ
20/12/2022 at 6:23 PM

ଚିତ୍ରକୋଣ୍ଡା, ୨୦/୧୨: ମୁଖ୍ୟ ସ୍ରୋତକୁ ଫେରିଲେ ୯୦୦ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ । ଦିର୍ଘ ଦିନ ପରେ ଏମିତି କିଛି ନିଆରା ଚିତ୍ର ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ । ହାତରେ ନକ୍ସଲ ନେତାଙ୍କ ପୋଷ୍ଟର ଓ ମୁହଁରେ ମାଓବାଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ସମର୍ଥକ । ଏହିଭଳି ଚିତ୍କାରରେ ଫାଟି ପଡୁଥିଲା ସ୍ବାଭିମାନ ଅଞ୍ଚଳ। ଆଜି ମାଲକାନଗିରି ପୋଲିସ ଓ ବିଏସଏଫ ଡିଆଇଜିଙ୍କ ନିକଟରେ ଯୋଡାଆମ୍ବ ଥାନା ଅନ୍ତର୍ଗତ ପଣସପୁଟ ପଞ୍ଚାୟତର ୬୦୦ରୁ ଉର୍ଦ୍ଧ୍ୱ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଦେଖି ମୁଖ୍ୟ ସ୍ରୋତକୁ ସେମାନେ ଫେରିଛନ୍ତି। ପୂର୍ବରୁ ଏହି ସମର୍ଥକମାନେ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ । କିନ୍ତୁ ସ୍ୱାଭିମାନ ଅଞ୍ଚଳରେ ଏକାଧିକ BSF କ୍ୟାମ୍ପ ସ୍ଥାପନ ହେବା ପରେ ଯବାନ ମାନଙ୍କ ଘନ ଘନ କମ୍ବିଂ ଅପରେସନ କାରଣରୁ ମାଓବାଦୀଙ୍କ ଲାଲ ଗଡ ଭୁଶୁଡି ପଡିଥିଲା। ତେଣୁ ଏମାନେ ମୁଖ୍ୟସ୍ରୋତକୁ ଫେରି ଆସିଥିଲେ।
ଆଜିର କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ନିତେଶ ୱାଧବାନି, ଚିତ୍ରକୋଣ୍ଡା ଏସ୍.ଡି.ପି.ଓଙ୍କ ସହ ବି.ଏସ୍.ଏଫର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ମୁଖ୍ୟ ସ୍ରୋତକୁ ଫେରିଥିବା ମାଓ ମିଲିସିଆଙ୍କୁ ଖେଳ ସାମଗ୍ରୀ ଏବଂ ମହିଳା ମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା। ଏଥିସହିତ କୁନି କୁନି ଛାତ୍ରଛାତ୍ରୀଙ୍କୁ ବହି ଖାତା ବଣ୍ଟନ କରାଯାଇଥିଲ। ପୂର୍ବରୁ ଭୟରେ ଥିବା ଅଞ୍ଚଳ ବାସିନ୍ଦା ବର୍ତ୍ତମାନ ବହୁତ ଖୁସିରେ ନିର୍ଭୟରେ ରାତି କଟେଇ ପାରୁଥିବା କହିଛନ୍ତି।