ଛିଣ୍ଡିଗଲା ତାର ପୋଲ, ଭରା ନଈରେ ଖସିପଡିଲେ ୬ ମହିଳା: କଣ ହେଲା ତାପରେ…

Published By : Prameya-News7 Bureau | August 21, 2018 IST

ବାଲିଗୁଡା ୨୧|୮:କେନ୍ଦ୍ର ଓ ରାଜ୍ୟର ବିକାଶ ବାଜାରେ କାନ ତାବଦା ହୋଇ ଗଲାଣି । ହେଲେ ବିକାଶ ଚିତ୍ର ନଦେଖିଲେ ବିଶ୍ବାସ କରିହେବନି । ଆସନ୍ତୁ ଯିବା କନ୍ଧମାଳ ବାଲିଗୁଡ଼ା ବ୍ଲକର ବୁରାଙ୍ଗିଆକୁ, ସେଠି ଦେଖିବା କେମିତି ରହିଛି ବିକାଶର ଚିତ୍ର ? ଆଉ କେମିତି ମରଣ ସହ ବାଜି ଲଗାଉଛନ୍ତି ଲୋକେ । ଦେଖନ୍ତୁ ନ୍ୟୁଜ୍ ସେଭେନ୍ ଏକ୍ସକ୍ଲୁସିଭ୍ । ନଈ ଏପଟେ କାମ ଅଛି । କିଏ କିରାସିନି ନେବ ତ ଆଉ କିଏ ମେଡିକାଲ ଆସିବ । ପ୍ରଥମେ କିଛି ପୁରୁଷ ଲୋକ ତାରରେ ପାର୍ ହୋଇଗଲେ । ଆଉ ତା ପରେ ଆସୁଥିଲେ ଏହି ୬ ଜଣ ମହିଳା । କିନ୍ତୁ ହଠାତ୍ ତଳ ତାରଟା ଛିଣ୍ଡିଗଲା । ଆଉ ତା ପରେ ଏମାନଙ୍କ ଅବସ୍ଥା ଏମିତି । ଅଭ୍ୟାସ ଥିଲା ବୋଲି ଏମାନେ ଉପର ତାରକୁ ଧରି ଝୁଲି ରହିଲେ । ଏମିତି ପ୍ରାୟ ଅଧ ଘଣ୍ଟାଏ ଝୁଲି ରହି ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିବା ବେଳେ ନଈ ଏପଟକୁ ଚାଲି ଆସିଥିବା ଯୁବକମାନେ ସାହାସ ଜୁଟାଇଥିଲେ । ହାତକୁ କଷ୍ଟ ହେବାରୁ ୪ ଜଣ ମହିଳା ଖସି ପଡ଼ିଲେ । ଆଉ କାଳ ବିଳମ୍ବ ନକରି ଭରା ନଈକୁ ଡେଇଁ ପଡ଼ିଲେ ୩ ଯୁବକ । ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଲେ । ନଈର ପ୍ରଖର ସ୍ରୋତରେ ଅନ୍ୟ ୩ଜଣ ମହିଳା ଭାସି ଯାଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗୋଟେ ଗଛ ଡାଳ ଧରି ଅଟକି ରହିଲେ । ଭାସି ଯାଉଥିବା ୨ ମହିଳାଙ୍କୁ ଯୁବକମାନେ ଉଦ୍ଧାର କଲେ । ଆଉ ପରେ ଝୁଲି ରହିଥିବା ଦୁଇ ମହିଳାଙ୍କୁ ତାର ଛାଡିବାକୁ କହି ସେମାନଙ୍କୁ ମଧ୍ୟ ଭରା ନଈରୁ ଉଦ୍ଧାର କଲେ । ଏ ଦୃଶ୍ୟ ହେଉଛି କନ୍ଧମାଳ ବାଲିଗୁଡ଼ା ବ୍ଲକ୍ କିରିକୁଟୀ ପଞ୍ଚାୟତ ବୁରାଙ୍ଗିଆ ଗାଁ ନିକଟ ଖଡଗ ନଦୀର । ନଦୀ ଉପରେ ପୋଲଟିଏ ନଥିବାରୁ ଗାଁ ଲୋକେ ନିଜେ ତାର ବାନ୍ଧି ସେଥିରେ ଯାଆ-ଆସ କରନ୍ତି । କିଏ କିରାସିନି ପାଇଁ ସିପ୍ତିଗୁଡ଼ାକୁ ଆସୁଥିଲା ତ ଆଉ କିଏ କ. ନୂଆଗାଁ ମେଡିକାଲକୁ । ହେଲେ ବେଳା ଖରାପ ଥିଲା, ହଠାତ୍ ତାର ଛିଣ୍ଡିଗଲା । ପୋଲଟିଏ ନଥିବାରୁ ଲୋକେ ଏମିତି ଦଶା ଭୋଗିଲେ । ଏଭଳି ଘଟଣା ସ୍ଥାନୀୟ ବିଧାୟକଙ୍କୁ ପ୍ରତିନ୍ଦ୍ବନ୍ଦିତା କରି ବିକାଶର ନାରା ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କିନ୍ତୁ ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସ ଭିତରେ ବିକାଶ ଯେ, ବାଟବଣା ହୋଇଯାଇଛି, ଏ ହେଉଛି ତାର ଜ୍ବଳନ୍ତ ଉଦ୍ଦାହରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.