୬ ଥର ସାଂସଦ ବ୍ରିଜଭୂଷଣ ଶରଣ ସିଂହ ହେଲିକପ୍ଟର ସହିତ ଅଚଳାଚଳ ସମ୍ପତ୍ତିର ମାଲିକ, ଖୋଲିଛନ୍ତି ୫୦ରୁ ଅଧିକ ସ୍କୁଲ ଓ କଲେଜ୍
22/01/2023 at 6:00 PM

ଗୋଣ୍ଡା ୨୨।୧: ଭାରତୀୟ କୁସ୍ତି ଫେଡେରେସନ (ଡବ୍ଲୁଏଫଆଇ) ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଆଜିକାଲି ବିବାଦରେ ଘେରି ଯାଇଛନ୍ତି। ତାଙ୍କ ବିରୋଧରେ ମହିଳା କୁସ୍ତି ଖେଳାଳିମାନେ ଯୌନ ଶୋଷଣ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ୧୯୮୭ ମସିହାରେ ଆଖୁ ସମିତିର ନିର୍ଦ୍ଦେଶକ ନିର୍ବାଚନରେ ଜିତି ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଭ୍ରିଜ ଭୂଷଣ ରାଜନୀତିରେ ଜିତ୍ ସହିତ ହାର ମଧ୍ୟ ଦେଖିଛନ୍ତି। ତେବେ ତାଙ୍କ ଦବଦବା ଓ ବିଳାଶିତା ବଢିବାରେ ଲାଗିଛି।
ଅଚଳାଚଳ ସମ୍ପତ୍ତିର ମାଲିକ ବ୍ରିଜ ଭୂଷଣ କୁସ୍ତି, ଘୋଡ଼ା ଓ ଖେଳ ସୌକିନ୍। ଏଥରକୁ ମିସାଇ ସେ ଷଷ୍ଠ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିର୍ବାଚନ ମଣ୍ଡଳିରେ ୫୪ଟି ଇଣ୍ଟର ଓ ଡିଗ୍ରି କଲେଜ ସ୍ଥାପନା କରିଛନ୍ତି। ଏହି ସବୁ ସ୍କୁଲ ଓ କଲେଜ ଦେବୀ ପାଟନ ମଣ୍ଡଳର ଗୋଣ୍ଡା, ବଲରାମପୁର, ବହରାଇଚ୍ ଓ ଶ୍ରାବସ୍ତି ଜିଲ୍ଲାରେ ସ୍ଥାପନା କରିଛନ୍ତି। ଏଥିରେ ନନ୍ଦିନୀ ନଗର ମହାବିଦ୍ୟାଳୟ ନବାବଗଞ୍ଜରେ ରହିଛି। ଏଥିରେ ନବାବଗଞ୍ଜ ସ୍ପୋର୍ଟସ୍ ଷ୍ଟାଡିୟମ ମଧ୍ୟ ଅଛି, ଯେଉଁଠାରେ ପ୍ରତିବର୍ଷ କୁସ୍ତିର ଜାତୀୟ ଚାମ୍ପିୟନସିପ୍ ଅନୁଷ୍ଠିତ ହେଉଥିବା ବେଳେ ଦେଶର ନାମୀଦାମୀ ମହିଳା ଓ ପୁଋଷ କୁସ୍ତି ଖେଳାଳିମାନେ ଅଂଶଗ୍ରହଣ କରିଥାନ୍ତି।

ଗୋଣ୍ଡା ଜିଲ୍ଲା ନବାବଗଞ୍ଜ ବ୍ଲକ୍ ବିଷ୍ଣୋହରପୁର ଗାଁରେ ବ୍ରିଜଭୂଷଣଙ୍କର ପୈତୃକ ଘର ଅନେକ ଏକର ଜମି ଉପରେ ଅବସ୍ଥିତ। ଯେଉଁଠାରେ ଅତ୍ୟାଧୁନିକ ଜିମ୍ ସହିତ ବ୍ୟାଡମିଣ୍ଟନ କୋର୍ଟ ମଧ୍ୟ ଅଛି। ଘୋଡା ସୌକିନ୍ ସାଂସଦଙ୍କ ଘୋଡାଶାଳ ଓ ଗୋଶାଳା ଘର ଆଗରେ ଥିବା ପୁଷ୍କରିଣୀ ସେପାଖରେ ରହିଛି। ଲକ୍ଷ୍ନୌ ଲକ୍ଷ୍ମଣପୁରୀରେ ତାଙ୍କର ଘର ସହ ଗୋନାର୍ଦ୍ଦ ହୋଟେଲ ଓ ଗୋନାର୍ଦ୍ଦ ଲନ ମଧ୍ୟ ଅଛି। ୨୦୧୯ ଲୋକସଭା ନିର୍ବାଚନ ଲାଗି ବ୍ରିଜଭୂଷଣ ଶରଣ ସିଂହ ଦାଖଲ କରିଥିବା ସମ୍ପତ୍ତି ସୂଚୀରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସେ ଗ୍ରାଜୁଏଟ୍ ବୋଲି ଦର୍ଶାଇଥିବା ବେଳେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୯ କୋଟି ୮୯ ଲକ୍ଷ ୫ହଜାର ୪୦୨ ଟଙ୍କା ବୋଲି ଦର୍ଶାଇଥିଲେ। ତେବେ ତାଙ୍କର ନିଜସ୍ୱ ହେଲିକପ୍ଟର ମଧ୍ୟ ଅଛି।
ସେ ୧୯୮୭ ମସିହାରେ ଆଖୁ ସମିତିର ନିର୍ଦ୍ଦେଶକ ପଦବୀ ଲାଗି ଅନୁଷ୍ଠିତ ନିର୍ବାଚନରେ ଜିତି ନିର୍ଦ୍ଦେଶକ ହୋଇଥିଲେ। ତେବେ ତା ପରବର୍ଷ ନିର୍ବାଚନରେ ହାରି ଯାଇଥିଲେ। ୧୯୮୯-୯୦ରେ ବିଜେପି ଟିକେଟ୍ରେ ସେ ଉତ୍ତରପ୍ରଦେଶ ଏମଏଲସି ନିର୍ବାଚନ ମଧ୍ୟ ଲଢିଥିଲେ ତେବେ ୧୪ ଭୋଟରେ ପରାସ୍ତ ହୋଇଥିଲେ। ୧୯୯୦ ମସିହାରେ ସେ ନିଜକୁ ଅଯୋଧ୍ୟା ଆନ୍ଦୋଳନରେ ସାମିଲ କରିଦେଇଥିଲେ, ଯାହା ତାଙ୍କ ଭାଗ୍ୟ ଖୋଲିଦେଇଥିଲା। ପରେ ବିଜେପି ତାଙ୍କୁ ଗୋଣ୍ଡା ଲୋକସଭା ଆସନରେ ଟିକେଟ୍ ଦେଇଥିଲା। ପ୍ରଥମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ସେବେଠାରୁ ସେ ନିର୍ବାଚନ ଜିତିଆସୁଛନ୍ତି।