ବୋମା ଖଞ୍ଜିବା ଅଭିଯୋଗରେ ୬ ଜଣ ଗିରଫ, ମାଓବାଦୀ ନାମରେ ମାଗିଥିଲେ ଚାନ୍ଦା

Published By : Prameya-News7 Bureau | December 09, 2022 IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗ୍ରାମରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୁଲିସ ଆଜି ୬ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ରାୟଗଡା ଜିଲ୍ଲାର ଓ ତିନି ଜଣ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ମାଓବାଦୀ ନାମରେ ଚାନ୍ଦା ମାଗି ସୁଙ୍ଗେର ଗ୍ରାମର ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଥିବା ପାଇଖାନା ଭିତରେ ବୋମା ଖଞ୍ଜିଥିଲେ ବୋଲି ପୁଲିସ ସୂଚନା ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପୁଲିସ ପ୍ରଦାନ କରିବା ସହ ଘଟଣା ସମ୍ପର୍କରେ ଏସପି ବିବେକାନନ୍ଦ ଶର୍ମା କହିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୭ ତାରିଖ ଦିନ ସୁଙ୍ଗେର ଗ୍ରାମର ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କୁ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିବା ସହ ପ୍ରଦାନ ନକଲେ ହତ୍ୟା କରିବାର ଚେତାବନୀ ଦେଇଥିଲେ। ଏହାପରେ ତାଙ୍କ ଘର ପଛପଟେ ଥିବା ପାଇଖାନା ଭିତରେ ଏକ ବୋମା ଖଞ୍ଜିଥିବା ଜଣାପଡ଼ିଥିଲା। ଟାଇମର ବୋମା ଖଞ୍ଜିଥିବା ଜଣାପଡ଼ିବା ପରେ ଟୁଟୁ କାଶୀପୁର ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା।

ଏହାପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ସାଇଁଟିଫିକ ଟିମ୍ ସହ ସିଆରପିଏଫ ଓ ବୋମା ନିରୋଧ ଯବାନ ପହଞ୍ଚି ଅତି ସତର୍କତାର ସହିତ ତାହା ନିଷ୍କ୍ରିୟ କରିଥିଲେ। ଘଟଣା ସମ୍ପର୍କରେ ସେହି ଦିନଠାରୁ ଅନୁସନ୍ଧାନ ଆରମ୍ଭ କରିଥିଲେ ଏସଡିପିଓ ଦେବଜ୍ୟୋତି ଦାସ। ଗତକାଲି ଦିନ ତମାମ ଏହାର ତଦନ୍ତ ଜାରି ରଖି ଆଜି ସମସ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବା ଏସପି ବିବେକାନନ୍ଦ ଶର୍ମା କହିଛନ୍ତି। ସେମାନଙ୍କ ନିକଟରୁ ଡେଟୋନେଟର, ବିଦ୍ୟୁତ ତାର, ଚାରୋଟି ମୋବାଇଲ, ସିଲିଣ୍ଡର ଜବତ କରିଛି ପୁଲିସ। ଏହି ଘଟଣାର ଅଧିକ ଅନୁସନ୍ଧାନ ଜାରୀ ରଖିଛି ପୁଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.