ପ୍ରାର୍ଥନା ଚାଲିଥିବା ଚର୍ଚ୍ଚରେ ଆଖିବୁଜା ଗୁଳିମାଡ, ୬ ମୃତ ଓ ୮ରୁ ଅଧିକ ଗୁରୁତର

Published By : Prameya-News7 Bureau | March 10, 2023 IST

ନୂଆଦିଲ୍ଲୀ୧୦।୦୩; ଜର୍ମାନୀ ହମବର୍ଗର ଏକ ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ସମୟରେ ଆଖିବୁଜା ଗୁଳିମାଡ଼ । ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୮ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁଳିମାଡ଼ରେ କେଉଁମାନଙ୍କର ସଂପୃକ୍ତି ଅଛି, ସେନେଇ କିଛି ସ୍ପଷ୍ଟ ହୋଇନି ।
ପୋଲିସର ସୂଚନା ଅନୁସାରେ, ଗୁରୁବାର ରାତିରେ ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ବେଳେ ଚର୍ଚ୍ଚର କିଙ୍ଗଡମ୍ ହଲ୍ରେ ବହୁ ଲୋକ ରୁଣ୍ଡ ହୋଇଥିଲେ । ପାଖାପାଖି ୯ଟା ସମୟରେ ଜଣେ ଦୁର୍ବୃତ୍ତ ଅତର୍କିତ ଭାବରେ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ଚଳାଇଥିଲା । ଫଳରେ ଗୁଳିକାଣ୍ଡରେ ପ୍ରାୟ ୬ରୁ ଅଧିକଙ୍କ ଜୀବନ ଚାଲିଯାଇଛି । ଏହି ଗୁଳିମାଡ଼ରେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ଘଟିଥିବା ପୋଲିସ ଅନୁମାନ କରୁଛି ।


ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ରହୁଥିବା ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳକୁ ଯାଞ୍ଚ କରୁଛି ପୋଲିସ୍ । ଏହାସହ ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ଏହି ଘଟଣାର ପ୍ରକୃତ କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.