ମୌତ କା କୁଆଁରେ ଅଘଟଣ ; ୬ ଦର୍ଶକ ଗୁରୁତର

Published By : Prameya-News7 Bureau | July 24, 2018 IST

ପବିତ୍ର ବାହୁଡା ରଥଯାତ୍ରା ଉପଲକ୍ଷେ ନୂଆପଡା ଜିଲ୍ଲା ସିନାପାଲି କାପସି ଠାରେ ଚାଲିଥିଲା ମିନାବଜାର | ମିନା ବଜାର ରେ ମୌତ କା କୁଆଁ ଆସିଥିବା ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ ଜମିଥିଲା | ଠାକୁରଙ୍କ ବାହୁଡା ଯାତ୍ରା ପରେ ମିନାବଜାରରେ ଦର୍ଶକଙ୍କ ଭିଡ ଲାଗିଥିଲା | ମୌତ କା କୁଆଁ ଭିତରେ ମୋଟର ସାଇକେଲ ଓ କାରର ଗର୍ଜନ ଲୋକଙ୍କୁ ଆକର୍ଷିତ କରୁଥିଲା | ଛିଡା ହୋଇ ଦେଖିବା ପାଇଁ ପାଖାପାଖି ୪୦ ଫୁଟ ଉପରେ ତିଆରି ହୋଇଥିବା ଗ୍ରିଲ | ଉପରେ ଦର୍ଶକ ଦେଖୁଥିବା ବେଳେ ରାତି ପ୍ରାୟ ୯ ଟା ସମୟରେ ହଠାତ୍ ଭୂଷୁଡି ପଡିଥିଲା | ଯେଉଁଥିରେ ୬ ଜଣ ଗୁରୁତର ଆହତ ହୋଇଥିଲେ | ସମସ୍ତେ ସିନାପାଲି,କାପସି ଓ ସ୍ଥାନିୟ ସରଧାପୂର ଗ୍ରାମର ବୋଲି ଜଣା ପଡିଛି | ସମସ୍ତ ଗୁରୁତରଙ୍କୁ ପ୍ରଥମେ ସିନାପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ନଥିଲେ ଏବଂ ଆମ୍ବୁଲାନ୍ସ ମଧ୍ୟ ସମ୍ଭବ ହୋଇ ପାରି ନଥିଲା | ଯାହାପାଇଁ ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗି ରହିଥିଲା | ସିନାପାଲି ପୋଲିସ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା | କାହାର ହାତ ଭାଙ୍ଗି ଯାଇଛି ତ ଆଉ କାହାର ଅଣ୍ଟା ଭାଙ୍ଗି ଯାଇଛି | କିଛି ଗୁରୁତରଙ୍କୁ ନୂଆପଡା ମୂଖ୍ୟ ଡାକ୍ତରଖାନାକୁ ଆଣିବା ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି | ଆଉକିଛି ଆହତଙ୍କୁ ସ୍ଥାନିୟ ଧର୍ମଗଡକୁ ସ୍ଥାନାନ୍ତର କରାଯାଇଥିଲା | ବର୍ତ୍ତମାନ ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି | ବର୍ଷା ମାସରେ କାଦୁଅ ପିଚ ପିଚ କରୁଥିବା ସ୍ଥାନରେ ଏଭଳି ଏକ ବିପଦପୂର୍ଣ୍ଣ ଖେଳକୁ ଅନୁମତି ଦେଲା କିଏ ଏହା ବର୍ତ୍ତମାନ ବଡ ପ୍ରଶ୍ନ ? ମୌତ କା କୁଆଁ ପଡୋଶୀ ଛତିଶଗଡ ରାଜ୍ୟର ହୋଇଥିବା ସୁଚନା ରହିଥିବା ବେଳେ ଘଟଣା ସ୍ଥଳରୁ ସମସ୍ତେ ଫେରାର ଅଛନ୍ତି | ବିନା ଅନୁମତିରେ ମୌତ କା କୁଆଁ ଚାଲୁଥିଲା ବୋଲି ସିନାପାଲି ଥାନା ଅଧିକାରୀ ସ୍ବୀକାର କରିଛନ୍ତି | ତେବେ ବିନା ଅନୁମତିରେ ଏଭଳି ବିପଦପୂର୍ଣ୍ଣ ଖେଳରେ ଅଘଟଣ ପ୍ରତି ତଦନ୍ତ କରିବା ସହ ଦୋଶୀକୁ ଦଣ୍ଡ ଏବଂ ପୀଡିତାଙ୍କୁ ସହାୟତା ଦାବୀ ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.