ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ୬ ଘର, ଏ ଯାଏଁ ପହଞ୍ଚିନି ସରକାରୀ ସହାୟତା
20/08/2022 at 9:28 PM

ଦେବଗଡ: ଗତ ସାତ ଆଠ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିଥିବା ଜଣାପଡିଛି । ଏହି କ୍ରମରେ ଦେବଗଡ ସହର ଛଅ ନମ୍ବର ୱାର୍ଡ ହାତୀଶାଳ ସାହିରେ ଛଅ ଜଣଙ୍କ ଘରର କାନ୍ଥ ଭୁଷୁଡି ପଡିଥିବା ବେଳେ ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହାତୀଶାଳ ସାହିର ସାଇବାଣୀ ମୁଖୀ ଙ୍କ ଘର ଉପରେ ଗଛ ଉପୁଡି ପଡିଯିବା ଫଳରେ କାନ୍ଥ ଭାଙ୍ଗିଥିବା ଦେଖିବାକୁ ମିଳିଛି। ତେବେ ଏ ଯାଏଁ କୌଣସି ସରକାରୀ ସହାୟତା।ପହଞ୍ଚିନଥିବା ଅଭିଯୋଗ ହୋଇଛି।

ସେହି ଅଞ୍ଚଳର ଗୋପାଳ ମୁଖୀ, ବେଲ ମୁଖୀ, ଦୀପକ ମୁଖୀ, ଟୀମା ମୁଖୀ, ସୁଲୋଚନା ଓରାମଙ୍କ ଘରର କାନ୍ଥ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ପଡିଥିବା ଜଣାପଡିଛି । ବର୍ଷା ଯୋଗୁଁ ଭାଙ୍ଗି ଥିବା ଘର ମଧ୍ୟରୁ କିଛି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ କୌଣସି ସରକାରୀ ସାହାଯ୍ୟ ପହଞ୍ଚି ନଥିବା ସ୍ଥାନୀୟ କାଉନସିଲର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଛଅ ନମ୍ବର ୱାର୍ଡରେ ବାରରୁ ଉର୍ଦ୍ଧ୍ବ ଘର ଭାଙ୍ଗିଥିବା ବେଳେ କେହି ଜଣେ ମଧ୍ୟ ସରକାରୀ ସାହାଯ୍ୟ ପାଇ ନାହାନ୍ତି ।