ହାଥରସ ଦଳାଚକଟା ଘଟଣାରେ ୬ ଗିରଫ; ମୁଖ୍ୟ ଅଭିଯୁକ୍ତ ନାଁରେ ୧ ଲକ୍ଷ ପୁରସ୍କାର ରାଶି ଘୋଷଣା କଲା ପୁଲିସ

Published By : Prameya-News7 Bureau | July 04, 2024 IST

indiatoday

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫମାନେ ସତସଂଗ କିମିଟିର ସଦସ୍ୟ ବୋଲି ପୁଲିସ କହିଛି। ଏହି ଘଟଣାରେ ବର୍ତ୍ତମାନ ମୃତ୍ୟ ସଂଖ୍ୟା ୧୨୧ ପାର୍ କରିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ମହିଳା ଓ ଶିଶୁ ରହିଛି। ଘଟଣାରେ ୩୧ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଘଟଣା ଘଟିଥିବା ବେଳେ ଗୁରୁବାର ପୁଲିସ ପ୍ରଥମ ଗିରଫ କରିଥିଲା। 

ଅଲିଗଡ଼ ଇନ୍ସପେକ୍ଟର ଜେନେରାଲ ଶାଲାବ ମାଥୁର କହିଛନ୍ତି ଯେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରୁ ୪ ପୁରୁଷ ଓ ୨ ଜଣ ମହିଳା ଥିଲେ। ଏମାନେ ସମସ୍ତେ ସତସଂଗ କମିଟି ସେବାଦାର ସଦସ୍ୟ ଭାବେ କାମ କରୁଥିଲେ। ଏଫ୍‌ଆଇଆର୍‌ରେ ମୁଖ୍ୟ ସେବାଦାର ଦେବ ପ୍ରକାଶ ମଧୁକରକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଘଟଣା ଘଟିବା ପରେ ସେ ଫେରାର ହୋଇଯାଇଥିଲା। ପୁଲିସ ତାକୁ ଧରାଇ ଦେବାକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରିଛି। କେବଳ ସେତିକି ନୁହେଁ ମଧୁକର ଗିରଫ ପାଇଁ ପୁଲିସ କୋର୍ଟଙ୍କ ଠାରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ ଚେଷ୍ଟା କରୁଛି। 

ତେବେ ଏଫ୍‌ଆଇଆର୍‌ରେ ଭୋଲେ ବାବାଙ୍କ ନାଁ ନାହିଁ। କିନ୍ତୁ ତଦନ୍ତ ଚାଲିଥିବାରୁ ତାଙ୍କ ପଚରାଉଚରା କରାଯାଇପାରେ। ପୁଲିସ ଭୋଲେ ବାବା ବା ନାରାୟଣ ସରକାର ହରିଙ୍କର ପୃଷ୍ଠଭୂମିକୁ ନେଇ ଯାଞ୍ଚ କରୁଛି। ତାଙ୍କର ଅପରାଧିକ ରେକର୍ଡ ଥାଇପାରେ ବୋଲି ସନ୍ଦେହ କରି ପୁଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସହରକୁ ପଠାଇଛି।  

ପୁଲିସର ଏଫ୍‌ଆଇଆର୍‌ ଅନୁସାରେ ସତସଙ୍ଗ ଶୁଣିବାକୁ ପ୍ରାୟ ୨.୫୦ ଲକ୍ଷ ଲୋକ ଆସିଥିଲେ। ହେଲେ ପ୍ରଶାସନ ମାତ୍ର ୮୦ ହଜାର ଲୋକଙ୍କ ପାଇଁ ଅନୁମତି ଦେଇଥିଲା।  କିନ୍ତୁ ଆୟୋଜକ ଲୋକସଂଖ୍ୟା ଲୁଚାଇବାକୁ ଚେଷ୍ଟା କରିଥିଲେ। ଭକ୍ତମାନେ ଭୋଲେ ବାବାଙ୍କ ଝଲକ ପାଇବା ପାଇଁ ପରସ୍ପରକୁ ଧକ୍କା ଦେବାରୁ ଦଳ ଚକଟା ଆରମ୍ଭ ହୋଇଥିଲା। ଏହାପରେ ଜଣେ ଜଣଙ୍କ ଉପରେ ଚଢ଼ି ଯାଇଥିଲେ। ଦଳଚକଟାରେ ୧୨୧ ଲୋକଙ୍କ ଜୀବନ ଚାଲିଗଲା। 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.