ତାଇୱାନ୍ରେ ଶକ୍ତିଶାଳୀ ଭୂମିକମ୍ପ, ୬.୧ ତୀବ୍ର ଝଟ୍କାରେ ଥରିଲା ଦ୍ୱୀପ ଦେଶ
18/09/2023 at 9:23 PM

ତାଇପେଇ: ନିକଟରେ ମରକ୍କୋରେ ଭୟଙ୍କର ଭୂମିକମ୍ପ ୨ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ଏବେ ତାଇୱାନ୍ରେ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ୬.୧ ତୀବ୍ର ଝଟ୍କାରେ ଥରିଛି ଚୀନର ପଡ଼ୋଶୀ। ଜର୍ମାନୀ ଭୂ ବିଜ୍ଞାନ ଅନୁସାନ୍ଧାନ କେନ୍ଦ୍ର(ଜିଏଫ୍ଜେଡ୍) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଏଫ୍ଜେଡ୍ର ରିପୋର୍ଟ ଅନୁସାରେ, ଭୂମିକମ୍ପ ୧୭୧ କିମି ଗଭୀରରେ ସଂଗଠିତ ହୋଇଛି। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ଖବର ସାମ୍ନାକୁ ଆସି ନାହିଁ।
ଏହା ପୂର୍ବରୁ ଚଳିତ ମାସ ୮ ତାରିଖରେ ଉତ୍ତର ଆଫ୍ରିକାର ମରୋକ୍କୋ ଦେଶରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଝଟକା ଏତେ ତୀବ୍ର ଥିଲା ଯେ ଅନେକ ଘର ଦ୍ୱାର ମାଟିରେ ପୋତି ହୋଇଯାଇଥିଲା। ଏଥିରେ ମୃତ୍ୟୁ ସଂଖ୍ୟା ୨ ହଜାର ପାର୍ କରିଥିଲା। ୟୁକ୍ତରାଷ୍ଟ୍ର ଭୂ-ବୈଜ୍ଞାନିକ ସର୍ଭେକ୍ଷଣ (ୟୁଏସଜିଏସ୍) ଅନୁସାରେ ଆଫ୍ରିକାରେ ଗତ ୧୨୦ ବର୍ଷରେ ଆସିଥିବା ଭୂମିକମ୍ପ ମଧ୍ୟରୁ ଏହା ସବୁଠୁ ଶକ୍ତିଶାଳୀ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୮ କୁହାଯାଉଛି। ମରୋକ୍କ ଭୂମିକମ୍ପର ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।
ତେବେ ଚଳିତ ବର୍ଷ ଫେବ୍ରୁଆରୀ ୬ ତାରିଖରେ ତୁର୍କୀଏରେ ହୋଇଥିବା ଭୟଙ୍କର ଭୂମିକମ୍ପ ପୂରା ବିଶ୍ୱକୁ ଦୋହଲାଇ ଦେଇଥିଲା। ଘନ ଘନ ଭୂମିକମ୍ପରେ ଥରିଲା ତୁର୍କୀଏ ଓ ଆଫଗାନିସ୍ତାନ। ଏଥିରେ ପ୍ରାୟ ୫୦୭୮୩ ଲୋକଙ୍କର ମୃତ୍ୟୁ ହୋଇଥିଲା।