ପୂର୍ବ ଇଣ୍ଡୋନେସିଆରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧, ସୁନାମୀ ଚେତାବନୀ ନାହିଁ
18/01/2023 at 2:10 PM

ଗୋରୋନ୍ତାଲୋ ୧୮।୧: ଇଣ୍ଡୋନେସିଆର ପୂର୍ବଭାଗରେ ବୁଧବାର ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି। ତେବେ କୌଣସି ପ୍ରକାର ଧନଜୀବନ ହାନୀର ସୂଚନା ମିଳି ନାହିଁ। ଆମେରିକୀୟ ଭୂବୈଜ୍ଞାନିକ ସର୍ଭେକ୍ଷଣ ଅନୁସାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା। ଏହାର କେନ୍ଦ୍ର ଗୋରୋନ୍ତାଲୋଠାରୁ ୬୫ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ- ପୂର୍ବ ଦିଗରେ ସମୁଦ୍ରର୧୪୭ କିଲୋମିଟର ଗଭୀରତାରେ ଥିଲା। ଗୋରୋନ୍ତାଲୋ, ଉତ୍ତର ସୁଲାବେସୀ, ଉତ୍ତର ମୁଲୁକ ଓ ମଧ୍ୟ ସୁଲାବେସୀ ପ୍ରାନ୍ତରେ ଏହାର ଝଟକା ଅନୁଭୂତ ହୋଇଛି।

ଭୂମିକମ୍ପ ସମୁଦ୍ର ତଳେ ଉତ୍ପତି ହୋଇଥିଲେ ବି ଇଣ୍ଡୋନେସିଆ ପାଣିପାଗ ବିଭାଗ, ଜଳବାୟୁ ବିଜ୍ଞାନ ଓ ଭୂ ଭୌତିକୀ ଏଜେନ୍ସୀ ସୁନାମୀ ଚେତାବନୀ ଜାରି କରି ନାହାନ୍ତି। ପ୍ରଶାନ୍ତ ମହାସାଗରର ରିଂ ଅଫ ଫାୟାର ଉପରେ ଇଣ୍ଡୋନେସିଆର ଅବସ୍ଥିତି କାରଣରୁ ଏଠାରେ ଭୂମିକମ୍ପର ସବୁଠୁ ଅଧିକ ବିପଦ ରହିଥାଏ। ଏହା ପୂର୍ବରୁ ଗତ ନଭେମ୍ବର ୨୧ ତାରିଖରେ ପଶ୍ଚିମ ଜାଭାର ସିୟାନଜୁରରେ ହୋଇଥିବା ୫.୬ ତୀବ୍ରତାର ଭୂମିକମ୍ପରେ ୩୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୬୦୦ ଲୋକ ଆହତ ହୋଇଥିଲେ। ଏହା ପୂର୍ବରୁ ୨୦୧୮ ମସିହାରେ ସୁଲାବେସୀରେ ଆସିଥିବା ଭୂମିକମ୍ପ ଓ ତତ୍ ଜନିତ ସୁନାମୀରେ ୪ ହଜାର ୩୪୦ ଜଣଙ୍କର ମୃତ୍ୟୁ ହୋଇଥିଲା।

୨୦୦୪ ମସିହାରେ ହୀନ୍ଦ ମହାସାଗରରେ ହୋଇଥିବା ଅତ୍ୟନ୍ତ ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଆସିଥିବା ସୁନାମୀରେ ୧୨ରୁ ଅଧିକ ଦେଶ ପ୍ରଭାବିତ ହୋଇଥିଲେ। ଭୂମିକମ୍ପ ଓ ସୁନାମୀ ଯୋଗୁ ବିଭିନ୍ନ ଦେଶରେ ୨ଲକ୍ଷ ୩୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଇଣ୍ଡୋନେସିଓ ଉଚ୍ଚେ ପ୍ରାନ୍ତରେ ସବୁଠୁ ଅଧିକ ଧନଜୀବନ ହାନୀ ହୋଇଥିଲା।