ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି

Published By : Prameya-News7 Bureau | April 01, 2020 IST

ଭୁବନେଶ୍ଵର ୦୧।୦୪: ସମଗ୍ର ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ସଂକ୍ରମିତ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ପଞ୍ଚମରେ ପହଞ୍ଚିଛି। ରୋଗୀଙ୍କ ବୟସ ୬୦ ବର୍ଷ। ସେ ଭୁବନେଶ୍ଵରର ସୂର୍ଯ୍ୟନଗରର ବାସିନ୍ଦା। ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି। ରୋଗୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ବୁଧବାର ଦ୍ଵିତୀୟ କରୋନା ସଂକ୍ରମିତ ସୁସ୍ଥ ହୋଇ ଏମ୍ସରୁ ଡିସଚାର୍ଜ ହୋଇଥିଲେ।

{"id":247696,"sizeSlug":"large"}

ସୂଚନା ଅନୁଯାୟୀ, ରୋଗୀ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ରକ୍ତ ନମୂନା ଓ ସ୍ଵାବର ପରୀକ୍ଷଣ ପରେ ରିପୋର୍ଟରେ କରୋନା  ପଜିଟିଭ୍ ଜଣା ପଡିଛି। ତାଙ୍କର ବିଦେଶ ଗସ୍ତ ସଂପର୍କିତ ବିବରଣୀ କିମ୍ବା ରାଜ୍ୟ ବାହାରକୁ ସେ ଯାଇଛନ୍ତି କି ନାହିଁ ତାର ତନାଘନା ଆରମ୍ଭ ହୋଇ ଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ  ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବୁଧବାର ଦ୍ଵିତୀୟ କରୋନା ରୋଗୀ ସୁସ୍ଥ ହୋଇ ଏମ୍ସରୁ ଡିସଚାର୍ଜ ହୋଇଥିଲେ। ପଞ୍ଚମ କରୋନାକୁ ମିଶାଇ କେବଳ ଭୁବନେଶ୍ଵରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ସେହି ପରି ଗତକାଲି ଭଦ୍ରକ ଜିଲ୍ଲାରୁ ରାଜ୍ୟର ଚତୁର୍ଥ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଚତୁର୍ଥ କରୋନା ସଂକ୍ରମିତ ମାର୍ଚ୍ଚ ୧୮ରେ ଦୁବାଇରୁ ଫେରିଥିଲେ। ସେ ଘରେ କ୍ଵାରେନଟାଇନରେ ରହିବା ପରେ ୩୦ ତାରିଖରେ ହସ୍ପିଟାଲ ଆସି ରକ୍ତ ନମୂନା ଓ ସ୍ଵାବର ପରୀକ୍ଷା କରାଇଥିଲେ। କରୋନା ପଜିଟିଭ୍ ଥିବା ମାର୍ଚ୍ଚ ୩୧ରେ ପରୀକ୍ଷଣ ରିପୋର୍ଟରୁ ଜଣା ପଡିଥିଲା। ସମସ୍ତ ପଜିଟିଭ୍ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ପ୍ରଥମ, ତୃତୀୟ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି।

{"id":247700,"sizeSlug":"large"}

ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତ ସଂଖ୍ୟା ପାଖାପାଖି ୧୯୦୦ ପର‌୍ୟ୍ୟନ୍ତ ପହଞ୍ଚିଛି। ଏହି ଘାତକ ଭାଇରସ୍‌ରେ ଦେଶରେ ଅତି କମରେ ୫୫ ଜଣଙ୍କ ମୃତ୍ୟୁ ଘଟି ସରିଲାଣି। ସମଗ୍ର ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର କରି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୫୦ ହଜାରରୁ ଉର୍ଦ୍ଧ୍ଵ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.