କେନ୍ଦୁଝର ଗସ୍ତରେ 5-T ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
10/06/2023 at 2:15 PM

ବଡବିଲ ୧୦।୬: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ 5-T ସଚିବ ଭି.କେ. ପଣ୍ଡିଆନ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସଂପର୍କରେ ଅବଗତ ହୋଇଛନ୍ତି । ଏଥିସହିତ ସେମାନଙ୍କର ସମସ୍ୟା ଦୂରୀକରଣ କରିବା ପାଇଁ ଭରସା ଦେଇଛନ୍ତି ।

5-T ସଚିବ ଭି.କେ. ପାଣ୍ଡିଆନ ପ୍ରଥମେ ଭୀମକୁଣ୍ଡ ଯାଇ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିଥିଲେ । ଏହାପରେ ସେ ସ୍ଥାନୀୟ ଲୋକଙ୍କୁ ଭେଟି ଲୋକଙ୍କ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ସେଠାରୁ ସେ ଚମ୍ପୁଆ ଯାଇ ମେଗା ପାନୀୟ ଜଳ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହିତ ନେହେରୁ ଷ୍ଟାଡିୟମଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ କଥା ହେବା ସହ ବ୍ୟକ୍ତି ବିଶେଷ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ମେମୋରାଣ୍ଡମ୍ ଗ୍ରହଣ କରିଥିଲେ । ପାନୀୟ ଜଳ କିମ୍ବା ଚାଷ ଜଳ ସମସ୍ୟା ଥିଲେ ସେସବୁ ନିଶ୍ଚୟ ପୂରଣ କରାଯିବ ବୋଲି ସେ ଚମ୍ପୁଆବାସୀଙ୍କୁ ଭରସା ଦେଇଥିଲେ ।

ସେହିପରି ମନ୍ଦିର, ମସଜିଦ ଓ ଚର୍ଚ୍ଚଗୁଡ଼ିକ ପାଇଁ ସହାୟତା ଦାବି ରହିଥିଲେ ନିଶ୍ଚିତ ଖୁସି ଖବର ମିଳିବ ବୋଲି ସେ କହିଥିଲେ । ଚମ୍ପୁଆ, ଯୋଡ଼ା ଓ ବଡ଼ବିଲରେ ମେଗା ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ଜଳକଷ୍ଟ ଦୂର କରିବା ସହିତ ଲୋକେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ବୋଲି ସେ କହିଥିଲେ । ସେହିପରି ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଯୋଡ଼ା-ବଡ଼ବିଲରେ ଟ୍ରକ୍ ଟର୍ମିନାଲ ନିର୍ମାଣ କରାଯିବା ସହିତ ବଡ଼ବିଲର ବହୁ ପ୍ରତିକ୍ଷିତ ବାଇପାସ୍ ରିଙ୍ଗ ରୋଡ଼ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ । ଯୋଡ଼ା ପୌରାଞ୍ଚଳରେ ନିର୍ମାଣାଧୀନ ଫ୍ଲାଇଓଭର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ଶେଷରେ ସେ ଉପସ୍ଥିତ ସାଧାରଣ ଲୋକଙ୍କ ପାଖକୁ ଯାଇ ହାତ ମିଳାଇବା ସହିତ ଅଭିବାଦନ ଜଣାଇଥିଲେ । ଚମ୍ପୁଆ ଉପଖଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ ।
You Can Read :