ବର୍ଷ ବର୍ଷର ସମସ୍ୟାର ହେବ ସମାଧାନ, ୨୦ ଦିନ ମଧ୍ୟରେ ସର୍ଭେ କାମ ସାରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ
15/09/2023 at 8:17 PM

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ 5-ଟି ସଚିବଙ୍କ ଗସ୍ତ ସମୟରେ ଜନସାଧାରଣ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରୀ ପୌରପାଳିକା ଦ୍ଵାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି ।
ଅଧିକ ପଢନ୍ତୁ- ସତ୍ୟବାଦୀରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼, ଅଭିଯୁକ୍ତ ଯୁବକ ଗିରଫ
ଏହି କାର୍ଯ୍ୟକୁ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସର୍ଭେ କାମକୁ ୨୦ ଦିନ ମଧ୍ୟରେ ଶେଷ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅତିରିକ୍ତ ରାଜସ୍ବ ଅଧିକାରୀ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ଅଧିକ ପଢନ୍ତୁ- ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ସଚିବ ଭିକେ ପାଣ୍ଡିଆନ, ଜନତା ମଇଦାନରେ କଲେ ସମ୍ବୋଧନ
ନୟାଗଡ ଜିଲ୍ଲାର ମଞ୍ଜରୀ ଗ୍ରାମ ନିକଟରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ପରିବେଶ ତଥା ଅନ୍ୟାନ୍ୟ ଆବଶ୍ୟକ ମଂଜୁରୀ ମିଳିବା ପରେ ପ୍ରକଳ୍ପ ପାଇଁ ତୁରନ୍ତ ଟେଣ୍ଡର ଆହ୍ବାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।