୫୯ ବୟସରେ ବାହାହେଲେ ପୂର୍ବତନ ସିବିଆଇ ଜଜ୍, ୯ ବର୍ଷର ସାନ ବିଜେପି ନେତ୍ରୀଙ୍କ ଧରିଲେ ହାତ

Published By : Prameya-News7 Bureau | September 06, 2022 IST

ପାଟ୍‌ଣା ୦୬/୦୯: କୁହ।ଯାଏ ପ୍ରେମ ମାନେନି ବୟସର ସୀମାରେଖା । ଗୋଖାଦ୍ୟ ଦୁର୍ନୀତି ଦୁଇଟି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ପୂର୍ବତନ ସ୍ୱତନ୍ତ୍ର ସିବିଆଇ ଜଜ୍ ୫୯ ବର୍ଷୀୟ ଶିବ ପାଲ ସିଂହଙ୍କ କ୍ଷେତ୍ରରେ ଏକଥା ସତ୍ୟରେ ପରିଣତ ହୋଇଛି । ସେ ନିଜଠାରୁ ୯ ବର୍ଷ ସାନ ଜଣେ ଓକିଲ ତଥା ବିଜେପି ନେତ୍ରୀ ନୂତନ ତିୱାରୀଙ୍କୁ ବିବାହ କରିଛନ୍ତି ।

ବିଚାରପତି ସିଂହ ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା କୋର୍ଟରେ ବିଗତ ୩ ବର୍ଷ ହେଲା ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ବିଚାରପତି-୧ ଭାବେ କାର୍ଯ୍ୟ କରୁଛନ୍ତି । ନୂତନ ତିୱାରୀ ଗୋଡ୍ଡା ଜିଲ୍ଲା କୋର୍ଟରେ ଓକିଲାତି ପ୍ରାକ୍ଟିସ୍ କରୁଛନ୍ତି । କିଛି ଦିନ ତଳେ ଉଭୟ ଦୁମ୍‌କା ଜିଲ୍ଲାର ପ୍ରସିଦ୍ଧ ବାସୁକୀନାଥ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି ।

ନୂତନଙ୍କ ପରିବାର ସହ ଘନିଷ୍ଠ ଲୋକଙ୍କ ଅନୁସାରେ, ୨୦୦୬ ମସିହାରେ ବିଚାରପତି ଶିବ ପାଲ ସିଂହଙ୍କର ପତ୍ନୀ ବିୟୋଗ ହୋଇଥିଲା । ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି । ସେହିପରି ନୂତନ କିଛି ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ସ୍ୱାମୀଙ୍କୁ ହରାଇଥିଲେ । ତାଙ୍କର ଜଣେ ଝିଅ ଅଛନ୍ତି । ଉଭୟଙ୍କର ପିଲାମାନେ ଓ ପରିବାର ଲୋକେ ସେମାନଙ୍କ ବିବାହ ଲାଗି ସମ୍ମତି ଦେବା ପରେ ସେମାନେ ଏକାଠି ସାରା ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ସେମାନଙ୍କର ବିବାହ ଉଭୟ ବିହାର ଓ ଝାଡ଼ଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରୀ ରେକର୍ଡ ଅନୁସାରେ, ଉତ୍ତରପ୍ରଦେଶର ବାସିନ୍ଦା ବିଚାରପତି ସିଂହ ଆସନ୍ତାବର୍ଷ ମାର୍ଚ୍ଚ ୩୧ ତାରିଖରେ ୬୦ ବର୍ଷରେ ଉନ୍ନୀତ ହେବା ପରେ ଝାଡ଼ଖଣ୍ଡ ନ୍ୟାୟିକ ସେବାରୁ ଅବସର ନେବେ । ରାଞ୍ଚି ଜିଲ୍ଲା କୋର୍ଟରେ ସ୍ପେଶାଲ ସିବିଆଇ ବିଚାରପତି ଭାବେ ତାଙ୍କର ପୋଷ୍ଟିଂ ସମୟରେ ସିଂହ ଲାଲୁ ଯାବଙ୍କୁ ଚାରା ଦୁର୍ନୀତିର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ସେଥିମଧ୍ୟରୁ ଗୋଟିଏ ମାମଲାରେ ସେ ଲାଲୁଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ । ୧୯୯୦ ମସିହାର ଆରମ୍ଭରେ ଦୁମ୍‌କା ଟ୍ରେଜେରିରୁ ଜାଲିଆତି କରି ୩.୧୩ କୋଟି ଟଙ୍କା ଉଠାଇନେବା ଅଭିଯୋଗରେ ୨୦୧୮ ମସିହା ମାର୍ଚ୍ଚ ୨୪ ତାରିଖରେ ବିଚାରପତି ସିଂହ ଲାଲୁଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡ ବିଧାନ ସହିତ ୬୦ ଲକ୍ଷ ଟଙ୍କା ଜରିମାନା ପ୍ରଦା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଚାରା ଦୁର୍ନୀତିର ୪ର୍ଥ ମାମଲା ଥିଲା ଯେଉଁଥିରେ ଲାଲୁଙ୍କୁ ଦଣ୍ଡବିଧାନ ହୋଇଥିଲା ।

ତା’ ପୂର୍ବରୁ ୧୯୯୧-୧୯୯୪ ମସିହା ମଧ୍ୟରେ ଦେଓଘର ଟ୍ରେଜେରିରୁ ଜାଲିଆତି କରି ୮୯.୨୭ ଲକ୍ଷ ଟଙ୍କା ଉଠାଇଥିବା ଅଭିଯୋଗରେ ବିଚାରପତି ସିଂହ ଲାଲୁଙ୍କୁ ୨୦୧୮ ମସିହା ଜାନୁୟାରୀ ୬ ତାରିଖରେ ସାଢ଼େ ୩ ବର୍ଷ ଜେଲ୍ ଦଣ୍ଡ ପ୍ରଦାନ କରିଥିଲେ । ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ବିଧାନ କରିଥିଲେ । ତାହା ଆର୍‌ଜେଡି ମୁଖ୍ୟଙ୍କ ବିରୋଧରେ ଥିବା ୫ଟି ଚାରା ଦୁର୍ନୀତି ମାମଲା ମଧ୍ୟରୁ ଦ୍ୱିତୀୟ ମାମଲା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.