ଶରୀରକୁ ୫୬ ଖଣ୍ଡ କରି କାଟିଲେ, କିଛି ରୋଷେଇ କରି ଖାଇଲେ, ନରବଳି ମାମଲାର ଚାଞ୍ଚଲ୍ୟକର ଖୁଲାସା

Published By : Prameya-News7 Bureau | October 12, 2022 IST

ତିରୁଅନନ୍ତପୁରମ: ସଂପତ୍ତି ଲାଗି ଗୁଣି ଗାରେଡିରୁ ନରବଳି ପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ନରବଳି ପରେ  ଜଘନ୍ୟ ଭାବେ ମୃତ ଶରୀରକୁ ୫୬ ଖଣ୍ଡ କରି କାଟିଲେ। ଏମିତି ଲୋମହର୍ଷଣକାରୀ ଘଟଣା କେରଳରେ ଘଟିଛି। ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ବୁଧବାର ପୋଲିସ ସାମ୍ବାଦିକ ସମ୍ମିଳନୀରେ ଘଟଣା ଉପରୁ ପରଦା ହଟାଇଛି। କୋଚି କମିସନର ସିଏଚ ନାଗରାଜୁ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଶଫିଙ୍କ ଅପରାଧିକ ରେକର୍ଡ ରହିଛି। ସେ ଦମ୍ପତ୍ତି ଭଗବଲ ସିଂହ ଏବଂ ତାଙ୍କ ପତ୍ନୀ ଲୈଲାଙ୍କୁ ଅର୍ଥ ଲୋଭର ପ୍ରଲୋଭନ ଦେଖାଇ ନରବଳିରେ ସାହାଯ୍ୟ କରିବାକୁ ମନାଇଥିଲା। ଶଫିଙ୍କୁ ମନୋରୋଗୀ ଦର୍ଶାଇ କମିସନର କହିଛନ୍ତି, ଦମ୍ପତ୍ତିଙ୍କ କୌଣସି ଅପରାଧିକ ରେକର୍ଡ ନାହିଁ।

କମିସନର କହିଛନ୍ତି, କ୍ରୁରତାର ସହ ମୃତକଙ୍କୁ ହତ୍ୟା କରାଯାଇଛି। ଶରୀରକୁ ଖଣ୍ଡ ଖଣ୍ଡ କରି ଭଗବଲ ସିଂହଙ୍କ ଘର ପରିସରର ଅନେକ ଜାଗାରରେ ପୋତା ଯାଇଥିଲା। ବିଭର୍ତ୍ସ ହତ୍ୟା ସମୟରେ ଶଫି ଏହାର ଆନନ୍ଦ ଉଠାଉଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଲୈଲା ସ୍ଵୀକାର କରିଛି ଯେ, ସେମାନେ ତିନି ଜଣ ମୃତକଙ୍କ ଶରୀରର ଗୋଟିଏ ଅଂଶକୁ ରୋଷେଇ କରି ଖାଇଛନ୍ତି। ତିନି ଅଭିଯୁକ୍ତଙ୍କୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ମାମଲାର ତଦନ୍ତ କରିବା ସମୟରେ ମଙ୍ଗଳବାର ଏମିତି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଥିଲା। ତଥ୍ୟ ପ୍ରମାଣରୁ ପୋଲିସ ଜାଣିବାକୁ ପାଇଛି ଯେ, ତାନ୍ତ୍ରିକ ମହମ୍ମଦ ଶଫି ନରବଳି ଦେବା ପାଇଁ ଦମ୍ପତ୍ତିଙ୍କ ବ୍ରେନଓ୍ଵାସ କରିଥିଲା ଏବଂ ଏ ବାବଦରେ ମୋଟା ଅଙ୍କର ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଶଫିର ଏହା ଦ୍ଵିତୀୟ ଶିକାର ଥିଲା ଏବଂ ପ୍ରଥମ ଶିକାରରେ ଜଣେ ମହିଳାଙ୍କୁ ହତ୍ୟା କରିଥିଲା।

ଦମ୍ପତ୍ତିଙ୍କୁ କେମିତି ମନାଇଲା ଶଫି

ପୋଲିସ୍ କହିଛି, ମୁଖ୍ୟ ଅଭିଯୁକ୍ତି ଶଫି ଜଣେ ପେଶାଦାର ଅପରାଧୀ। ତା ନାମରେ ବିଭିନ୍ନ ଥାନାରେ ଆଠ ମାମଲା ରହିଛି। ତାର ଅପରାଧ ତାଲିକାରେ ଦୁଷ୍କର୍ମ, ଅତ୍ୟାଚାର, ମଦ ନିଶାରେ ଝଗଡା ଏବଂ ଅର୍ଥ ହେରଫେର ଆଦି ସାମିଲ୍। ପୋଲିସକୁ ଚକମା ଦେବା ଲାଗି ସେ ପ୍ରତି ବର୍ଷ ଘର ବଦଳାଉଥିଲା ଏବଂ ଅଧିକାଂଶ ସମୟ ଶିବିରରେ ରହୁଥିଲା। ଲୋକଙ୍କୁ ବୋକା ବନାଇବା ପାଇଁ ସେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିଲା। ଦମ୍ପତ୍ତି ଅଧିକ ଅର୍ଥ ପାଇବା ଲୋଭରେ ତା ସହ ଯୋଗଯୋଗ କରିଥିଲେ ଏବଂ ଅନୁଷ୍ଠାନ ଲାଗି ଏକ ଲକ୍ଷ ୫୦ ହଜାର ଟଙ୍କା ଜମା କରିଥିଲେ। ନରବଳି ଦେଲେ ଘରେ ଧନ ଅଧିକ ବଢିବ ବୋଲି ଶଫି ଦମ୍ପତ୍ତିକୁ କହିଥିଲା। ଜୁନରେ ପ୍ରଥମ ବଳି ପରେ ଆର୍ଥିକ ସ୍ଥିତିରେ କୌଣସି ସୁଧାର ନଆସିବାରୁ ଦମ୍ପତ୍ତି ପୁଣି ଥରେ ଶଫି ନିକଟକୁ ଯାଇଥିଲେ। ପୁଣି ଥରେ ଶପି ଦ୍ଵିତୀୟ ନରବଳି ଲାଗି ଦମ୍ପତ୍ତିକୁ ମନାଇ ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.