ଖାଲି ପଡିଛି ୫୧୨୫ ଏମବିଏ ସିଟ୍, ସ୍ପଟ୍‌ ଆଡମିସନ୍‌ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | December 16, 2020 IST

ଭୁବନେଶ୍ବର ୧୬।୧୨: ରାଜ୍ୟରେ ଏମ୍‌ବିଏର ୮ହଜାର ୫୬୬ଟି ସିଟ୍‌ ରହିଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ମାତ୍ର ୩ହଜାର ୪୪୧ଟି ସିଟ୍‌ ପୂରଣ ହୋଇଛି । ୫ହଜାର ୧୨୫ ସିଟ୍‌ ଖାଲିପଡ଼ିଛି । ତେଣୁ ଅବଶିଷ୍ଟ ସିଟ୍‌ଗୁଡ଼ିକ ପୂରଣ ପାଇଁ ସ୍ପଟ୍‌ ଆଡମିସନ୍‌ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଏ ନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅଧ୍ୟକ୍ଷଙ୍କୁ ବିଭାଗୀୟ ଯୁଗ୍ମ ସଚିବ ଡ. ଅଜୟ କୁମାର ନାୟକ ଚିଠି ଲେଖିବା ପରେ ନାମଲେଖା ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଜେଇଇର ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ, ସ୍ପଟ୍‌ ଆଡମିଶନ୍‌ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ସିଟ୍‌ ପୂରଣ କରିପାରିବେ । ନାମଲେଖା ସମୟରେ ଓଜେଇଇ ପ୍ରବେଶିକା ପରୀକ୍ଷା ଦେଇଥିବା ପ୍ରାର୍ଥୀ ଓ କ୍ୟାଟ୍‌/ମ୍ୟାଟ୍‌/ଜେଟ୍‌/ଆତ୍ମା/ସିଏମଏଟି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ । ହେଲେ ସ୍ନାତକ ବା ଯୁକ୍ତ ତିନିରେ ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ସର୍ବନିମ୍ନ ୫୦ ପ୍ରତିଶତ ଓ ଅନୁସୂଚିତ ଜାତି, ଜନଜାତି ଆଦି ଅନ୍ୟ ସଂରକ୍ଷିତ ବର୍ଗ ପାଇଁ ୫ ପ୍ରତିଶତ କୋହଳ କରାଯାଇଛି ।

କୋରନା ମହାମାରୀ ପାଇଁ ଏଆଇସିଟିଇ ଗତ ଅଗଷ୍ଟ ୧୯ ତାରିଖରେ ଏକ ସର୍କୁଲାର୍‌ ଜାରି କରିଥିଲେ । ଯାହାକୁ ଲକ୍ଷ୍ୟ ରଖି ରାଜ୍ୟରେ ମଧ୍ୟ ଚଳିତବର୍ଷ ନାମଲେଖାରେ କୋହଳ କରାଯାଇଛି ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଚଳିତବର୍ଷର ନାମଲେଖାରେ ଏହି କୋହଳକୁ ଅନ୍ୟ ଶିକ୍ଷାବର୍ଷଗୁଡ଼ିକରେ ଏକ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯିବ ନାହିଁ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି । ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ଓ ଓଜେଇଇ ପକ୍ଷରୁ ନାମଲେଖା ବାବଦରେ ଛାତ୍ରଛାତ୍ରୀଙ୍କୁ ଏଭଳି ସୁଯୋଗ ଦିଆଯାଇଥିବାରୁ ଓଡ଼ିଶା ମ୍ୟାନେଜମେଣ୍ଟ୍‌ କଲେଜ ଆସୋସିଏସନ୍‌ (ଓମକା) ପକ୍ଷରୁ ସ୍ୱାଗତ କରାଯାଇଛି ।

‘ଓମ୍‌କା’ର କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ସରୋଜ କୁମାର ସାହୁ ଏହି ଅବସରରେ କହିଛନ୍ତି ଯେ, କରେନାର ଭୟାବହତାକୁ ଡରି ଯେଉଁ ଛାତ୍ରଛାତ୍ରୀମାନେ ଓଜେଇଇ କିମ୍ବା କୌଣସି ସର୍ବଭାରତୀୟ ପରୀକ୍ଷା ଦେଇପାରିନାହାନ୍ତି, ସେମାନେ ମଧ୍ୟ ନାମଲେଖାର ସୁଯୋଗ ନେଇପାରିବେ । ଯାହା ତାଙ୍କର ଗୋଟିଏ ବର୍ଷ ପାଠପଢ଼ା ନଷ୍ଟ ହେବାରୁ ରକ୍ଷା କରିବ । ମେଧାବୀ ଛାତ୍ରଛାତ୍ରୀମାନେ ପାଠପଢ଼ିବାର ପୁଣି ସୁଯୋଗ ପାଇବେ ବୋଲି ଇଞ୍ଜିନିୟର ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.