ଦିଲ୍ଲୀରେ ଗୋଟିଏ ଦିନରେ ୫ ହଜାର ଶିକ୍ଷକଙ୍କ ବଦଳି, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ ୪।୭: ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ୫ ହଜାରରୁ ଅଧିକ ସରକାରୀ ସ୍କୁଲ ଶିକ୍ଷକଙ୍କୁ ବଦଳି କରିଦିଆଯାଇଛି। ଶିକ୍ଷା ନିର୍ଦ୍ଦେଶାଳୟଙ୍କ ନିର୍ଦ୍ଦେଶାନୁସାରେ ଯେଉଁ ଶିକ୍ଷକମାନେ ୧୦ ବର୍ଷ ହେଲା ଗୋଟିଏ ସ୍କୁଲରେ ପଢାଉଛନ୍ତି ସେମାନଙ୍କର ବଦଳି ହୋଇଛି। ଦିନକରେ ୫ ହଜାର ଶିକ୍ଷକଙ୍କ ବଦଳିକୁ ନେଇ ଶିକ୍ଷାମନ୍ତ୍ରୀ ଆତିଶୀ ସୋମବାର ଆଦେଶ ପ୍ରତ୍ୟାହାର ନିମନ୍ତେ ଶିକ୍ଷା ସଚିବଙ୍କୁ ଅନୁରୋଧ କରିଥିଲେ। ତେବେ ଆତିଶୀଙ୍କ ଅନୁରୋଧ ସତ୍ତ୍ୱେ ଏକ ସଙ୍ଗରେ ଏତେ ସଂଖ୍ୟକ ଶିକ୍ଷକଙ୍କ ବଦଳି କରି ଦିଆଯାଇଛି। 

ଏକକାଳୀନ ଏତେ ସଂଖ୍ୟକ ଶିକ୍ଷକଙ୍କ ବଦଳିକୁ ନେଇ ଶିକ୍ଷକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିରେ ଶିକ୍ଷା ମନ୍ତ୍ରୀ ଆତିଶୀ ଅସନ୍ତୋଷ ପ୍ରକାଶ କରି ଶିକ୍ଷକଙ୍କ ଏପରି ବଦଳିରେ ବଡ଼ ଧରଣର ଭ୍ରଷ୍ଟାଚାରର ଆଶଙ୍କା ପ୍ରକାଶ କରିଛନ୍ତି। ଶିକ୍ଷକମାନେ ଶିକ୍ଷା ନିର୍ଦ୍ଦେଶକଙ୍କୁ ଭେଟି ସେମାନଙ୍କ ଚିନ୍ତା ନେଇ ଆଲୋଚନା ମଧ୍ୟ କରିଛନ୍ତି ଓ ରାଜ୍ୟପାଳଙ୍କୁ ଭେଟିବା କଥା ମଧ୍ୟ କହିଛନ୍ତି। ଶିକ୍ଷାମନ୍ତ୍ରୀ ଆତିଶୀ ଶିକ୍ଷା ସଚିବଙ୍କୁ ପତ୍ର ଲେଖି ଶିକ୍ଷକଙ୍କ ହୀତରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ କହିବା ସହ ୭ ଦିନରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ୧୦ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଥିବା ସବୁ ଶିକ୍ଷକଙ୍କୁ ବଦଳି ନିମନ୍ତେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ଯଦି ସେମାନେ ବିଫଳ ହୁଅନ୍ତି ଶିକ୍ଷା ନିର୍ଦ୍ଦେଶାଳୟ କୌଣସି ଉପଲବ୍ଧ ବିଦ୍ୟାଳୟକୁ ଶିକ୍ଷକଙ୍କ ସ୍ଥାନାନ୍ତର ନେଇ ଚେତବାନୀ ମଧ୍ୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଶିକ୍ଷାମନ୍ତ୍ରୀ ଆତିଶୀଙ୍କ ଦ୍ୱାରା ଲିଖିତ ରୂପେ ମନା କରାଯିବା ସତ୍ତ୍ୱେ ରାତାରାତ ୫୦୦୬ ଶିକ୍ଷକଙ୍କ ବଦଳି କରିଦିଆଯାଇଛି। ଏଥିରେ ୧୦୦୯ ଜଣ ବିଭିନ୍ନ ବିଷୟର ଶିକ୍ଷକ ଥିବା ବେଳେ ୮୪୭ ଜଣ ପିଜିଟି, ୩,୧୫୦ ଜଣ ଟିଜିଟି ମଧ୍ୟ ଅଛନ୍ତି। 

ତେବେ ଶିକ୍ଷାମନ୍ତ୍ରୀ ଆତିଶୀ ଶିକ୍ଷକଙ୍କ ଏଭଳି ବଡ଼ ଧରଣର ବଦଳି ରୋକିବା ପାଇଁ ତାଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବା ନିମନ୍ତେ ଶିକ୍ଷା ସଚିବ ଓ ନର୍ଦ୍ଦେଶାଳୟ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୩୯ଏ ର ଉଦାହରଣ ଦେଇ ଆତିଶୀ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚିତ ସରକାରଙ୍କର ରାଜ୍ୟ ସୂଚୀ ଓ ସମବର୍ତ୍ତୀ ସୂଚୀ ଉଭୟରେ ସୂଚୀବଦ୍ଧ ମାମଲାରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ କାର୍ଯ୍ୟକାରୀ କ୍ଷମତା ରହିଛି। ଏହି ସାମ୍ବିଧାନିକ ସମର୍ଥନ ଏଭଳି ସାମୂହିକ ବଦଳି ବିରୋଧରେ ମନ୍ତ୍ରୀଙ୍କ ସ୍ଥିତିକୁ ମଜଭୁତ କରୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.