ବାହା ହେବୁ କନିଆ ଦିଅ: ରୋଷଣୀ ନେଇ କଲେକ୍ଟର ଅଫିସ୍ରେ ପହଞ୍ଚିଲେ ୫୦ ବରପାତ୍ର, ଭିଡିଓ ଭାଇରାଲ୍
22/12/2022 at 6:40 PM

ନୂଆଦିଲ୍ଲୀ: ସାଙ୍ଗରେ ବ୍ୟାଣ୍ଡ ବାଜା ବାରାତ। ଘୋଡ଼ା ପିଠିରେ ସବାର ବର। ପ୍ରୋସେସନ ଚାଲିଛି। ସାଥିରେ ବରଯାତ୍ରୀ ବି ଅଛନ୍ତି। ମଝିରେ ମଝିରେ ମୋବାଇଲ୍ କ୍ୟାମେରା ଦେଖି ବରପାତ୍ରଙ୍କ ନିଶ ମୋଡ଼ା ବି ଚାଲିଛି।
ଆପଣ ଭାବୁଥିବେ, ଏଇଟା କଉ ନୂଆ କଥା। ବାହାଘର ସମୟ ଚାଲିଛି। ବିବାହ ପାଇଁ ବରଯାତ୍ରୀ କନ୍ୟା ଘରକୁ ଯାଉଛନ୍ତି। ଆଜ୍ଞା ଏଇଠି ଆପଣ ଧୋକା ଖାଇଗଲେ। ଏହି ବରମାନେ କନିଆ ଖୋଜି ବାହାରି ନାହାନ୍ତି, ବରଂ କନିଆ ମିଳୁନଥିବାରୁ କଲେକ୍ଟରଙ୍କୁ ଅଭିଯୋଗ କରି ବାହାରିଛନ୍ତି। ପାଖପାଖି ୫୦ ଜଣ ବରପାତ୍ର ବେଣ୍ଡ୍ ବାଜା ବାରାତ ନେଇ କଲେକ୍ଟର ଅଫିସ ଅଭିମୁଖେ ବାହାରିଛନ୍ତି। ଏ ଦୃଶ୍ୟ ହେଉଛି ମହାରାଷ୍ଟ୍ରର ସୋଲାପୁରର।
ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳା ସଂଖ୍ୟା ହ୍ରାସ ପାଇଛି। ରାଜ୍ୟରେ ଲୁଚିଛପି ଲୋକେ ଲିଙ୍ଗନରୁପଣ କରୁଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କର PCPNDT ଆଇନକୁ କଡ଼ାକଡ଼ ପାଳନ କରିବାକୁ ଏମାନେ ଦାବି କରିଛନ୍ତି।
ବୁଧବାର କିଛି ସ୍ଥାନୀୟ ସଂଗଠନ ‘ବରକନ୍ୟା ମୋର୍ଚ୍ଚା’ ନାଁରେ ଏଭଳି ଅଭିନବ ପ୍ରତିବାଦ କରିଥିଲେ। ବର ବେସରେ ରୋଷଣୀ ନେଇ କଲେକ୍ଟର ଅଫିସ ପହଞ୍ଚିଥିଲେ। ଏବଂ ଜିଲ୍ଲାରେ PCPNDT ଆଇନକୁ କଡ଼ା କଡ଼ି ଲାଗୁ କରିବାକୁ ସତ୍ୟପାଠ ଦାଖଲ କରିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେଉଛି।
ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ଭେକ୍ଷଣ ରିପୋର୍ଟ(୨୦୧୯-୨୧) ଅନୁସାରେ ମହାରାଷ୍ଟ୍ର ଲିଙ୍ଗଗତ ବୈଷ୍ୟମତା ପ୍ରତି ୧୦୦୦ ପୁରୁଷରେ ୯୨୦ ମହିଳା ରହିଛନ୍ତି। ମାନେ ମହିଳାଙ୍କ ତୁଳନାରେ ୮୦ ଜଣ ପୁରୁଷ ଅଧିକ ରହିଛନ୍ତି। ଏମିତି ସ୍ଥିତିରେ ବିବାହ ନେଇ ସମସ୍ୟା ଦେଖା ଦେଇଛି।
ତେବେ ବିବାହ ନ ହେବାର ଏଇ ଗୋଟି ଏକାରଣ ନୁହେଁ। କନ୍ୟା ପକ୍ଷର ଚଏସ ଉପରେ ବି ବିବାହ ନିର୍ଭର କରୁଛି। ବରପାତ୍ର ସରକାରି ଚାକିରିଆ କି ନାହିଁ, ସହରରେ ତାଙ୍କର ଘର ଅଛି କି ନାହିଁ ଏସବୁ ବିବାହରେ ବାଧକ ସାଜୁଛି।
ଏହି ପ୍ରୋସେସନ୍ରେ ବର ହୋଇ ଆସିଥିବା ଶିଲଭାନ୍ତ କାଶିରସାଗର ଜଣେ କ୍ଷୀର ବ୍ୟବସାୟୀ। ହେଲେ ସରକାରୀ ଚାକିରି ନାହିଁ କି ସହରର ଖଣ୍ଡେ ଜାଗା ନାହିଁ ବୋଲି ତାଙ୍କର ବାହାଘର ହୋଇପାରୁନି।
इनका अलग ही दर्द है..
— Vivek Gupta (@imvivekgupta) December 21, 2022
शादी नही हो रही है तो दूल्हे की तरह सज कर
कलेक्टर दफ्तर जा रहे है.
शादी करवाओ इनकी कोई..
महाराष्ट्र का सोलापुर की तस्वीर है. pic.twitter.com/MrY8AmfhdG
ଏ ନେଇ ଶିଲଭାନ୍ତ କହିଛନ୍ତି “ ମୋତେ ୧୯ ବର୍ଷ ହେଲାଣି। ମୁଁ ଅବିବାହିତ ଅଛି। ସୋଲାପୁର ଜିଲ୍ଲାର ଗ୍ରାମାଞ୍ଚଳରେ ମୋ ଘର। ଆମ ପରିବାରରେ ସମସ୍ତେ କ୍ଷୀର ବ୍ୟବସାୟ କରିବା ସହିତ ଦୁଇ ଏକର ଜମିରେ ଚାଷ ବି ଚାଲିଛି। ମୋ ପାଇଁ ସବୁଥର ବାହାଘର ପ୍ରସ୍ତାବ ଆସୁଛି। ହେଲେ କନ୍ୟା ପକ୍ଷରୁ ପ୍ରଥମ ପ୍ରଶ୍ନ ହେଲା ସହରର ଘର ଓ ସରକାରୀ ଚାକିରି ଅଛି କି ? ଏମିତି ହେଇ ପାଖାପାଖି ୨୫ ପ୍ରସ୍ତାବ ଭାଙ୍ଗିଲାଣି ବୋଲି ଶିଲଭାନ୍ତ କହିଛନ୍ତି। କେବଳ ସେତିକି ନୁହେଁ ମୋ ମାଟ୍ରିମୋନୀରେ ପ୍ରୋଫାଇଲ୍ ବି ଖୋଲିଛି। ହେଲେ କିଛି ଲାଭ ନାହିଁ। ଏଥିରୁ ଜଣାପଡ଼ୁଛି ଯେ ଗ୍ରାମାଞ୍ଚଳରେ ରହୁଥିବା ଯୁବକଙ୍କୁ କେହି ବାହା ହେବାକୁ ପସନ୍ଦ କରୁ ନାହାନ୍ତି।”
ସେହିପରି ମୋହୋଲ ତହସିଲର ଅଡୁମ୍ବର ମାଲିକଙ୍କ କାହାଣୀ ବି ଏକାପରି। ତାଙ୍କୁ ୨୭ ବର୍ଷ ହେଲାଣି। ତାଙ୍କର ଟେଲର ଚଳାଇ ପେଟ ପୋଷୁଥିବା ବେଳେ ତାଙ୍କର ବି ଦୁଇ ଏକର ଜମି ଅଛି।
ତାଙ୍କ ଦୁଃଖ କାହାଣୀରେ ସେ କହିଛନ୍ତି “ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପାଇଁ ୮ଟି ବାହାଘର ପ୍ରସ୍ତାବ ଆସିଲାଣି। କିନ୍ତୁ ଝିଅଘର ଲୋକେ ପ୍ରଥମ ପ୍ରଶ୍ନ ହେଲା ମୋର କୌଣସି ଚାକିରି ଅଛି କି ନାହିଁ। ତାପରେ ମୋର ଯଥେଷ୍ଟ ଜମି ଅଛି କି ନାହିଁ ? ବରପାତ୍ରର ଆର୍ଥିକ ସ୍ୱଚ୍ଛଳତାକୁ ନେଇ କନ୍ୟାପକ୍ଷର ଉଚ୍ଚାକାଂକ୍ଷା ବାହାଘରରେ ବାଧକ ସାଜିଛି।”
ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ୍ ଥିବାରୁ ପୁରୁଷମାନେ ବାହା ହୋଇପାରୁ ନାହାନ୍ତି। ଯଦି PCPNDT ଆଇନ୍ର କଡ଼ା କଡ଼ି ପାଳନ ହୋଇଥାନ୍ତା ତେବେ ସ୍ଥିତି କିଛି ଅଲଗା ହୋଇଥାନ୍ତା ବୋଲି ମାଲି କହିଛନ୍ତି। ଲିଙ୍ଗ ନିରୁପଣ ନେଇ ବ୍ୟାନ୍ ଲାଗିଥିଲେ ବି ଲୁଚିଛପି ପିତାମାତାମାନେ ଏପରି କରୁଛନ୍ତି ବୋଲି ମାଲି ଅଭିଯୋଗ ଆଣିଛନ୍ତି।