ଭୋଟ୍ ଗଣତି ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ: ଏଣିକି ୫ଟି ଇଭିଏମ୍ ମେସିନ୍ ସହ ୫ଟି ଭିଭିପାଟ୍ ପେପର ଟ୍ରେଲରକୁ ମେଳାଯିବ

Published By : Prameya-News7 Bureau | April 08, 2019 IST

ନୂଆଦିଲ୍ଲୀ ୮/୪ : ନିର୍ବାଚନ ଭୋଟ୍‌ ଗଣତି ନେଇ ଆସିଛି ସୁପ୍ରିମ୍‌ କୋର୍ଟଙ୍କ ବଡ ନିର୍ଦ୍ଦେଶ । ଏଥର ପ୍ରତି ନିର୍ବାଚନମଣ୍ଡଳୀର ୫ଟି ଭିଭିପାଟରେ ଥିବା ପେପର ଟ୍ରେଲ୍‌ ସହ ଇଭିଏମ୍‌ର ଭୋଟ୍‌ ସଂଖ୍ୟା ମେଳାଯିବ । ପୂର୍ବରୁ ଏହା ଗୋଟିଏ ଥିଲା । ବିରୋଧୀ ଦଳ ୫୦ ପ୍ରତିଶତ ଏଇଭିଏମ୍‌ ସହ ଭିଭିପାଟ୍‌ ପେପର ଟ୍ରେଲ୍‌ ମେଳାଇବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖେ ଦାବି କରିଥିଲେ ।ଏହି ମାମଲା ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇଥିଲା ।….

ଭୋଟ୍‌ ଗଣତି ପ୍ରକ୍ରିୟା ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ ନିର୍ଦ୍ଦେଶ ।ଗୋଟିଏ ନୁହେଁ ଏଣିକି ୫ଟି ଇଭିଏମ୍‌ ମେସିନ୍‌ ସହ ୫ଟି ଭିଭିପାଟ୍‌ ପେପର ଟ୍ରେଲ୍‌ରକୁ ମେଳାଯିବ। ଅର୍ଥାତ୍‌ ଏହି ୫ଟି ଇଭିଏମ୍‌ରେ କେତେ ଭୋଟ୍‌ ପଡିଛି ଏବଂ ଏହା ଭିଭିପାଟ୍‌ର ପେପର ଟ୍ରେଲ୍‌ ସଂଖ୍ୟା ସହ ମେଳ ଖାଉଛି ନା ତାହା ଦେଖାଯିବ ।ପ୍ରତି ଲୋକସଭା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଣ୍ଡମ ପଦ୍ଧତିରେ ପାଞ୍ଚଟି ଭିଭିପାଟ୍‌ ବାଛି ତାର ପେପର ଟ୍ରେଲ ସହ ପାଞ୍ଚଟି ଇଭିଏମର ଭୋଟ ସଂଖ୍ୟା ମିଳାଇବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ହି ନିର୍ଦ୍ଦେଶ ଦେଇଛନ୍ତି।  ତେବେ ୫ ଗୁଣା ଅଧିକ ଭିଭିପ୍ୟାଟ ଓ ଇଭିଏମର ଭୋଟର ମିଳିତ ଗଣତି ହେଲେ ଫଳାଫଳ ବିଳମ୍ବ ହେବ ନାହିଁ କିମ୍ବା ଅଧିକ ମାନବ ସମ୍ବଳର ଆବଶ୍ୟକତା ଉଠିବ ନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।

ଇଭିଏମର  ନିରପେକ୍ଷତା  ଉପରେ କଂଗ୍ରେସ ଓ ଟିଡିପି ସମେତ ୨୧ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ । ୫୦ ପ୍ରତିଶତ ଇଭିଏମ ଓ ଭିଭିପାଟ୍‌ର ମିଳିତ ଭୋଟକୁ ଆଗୁଆ ଗଣତି କରିବା ପାଇଁ ନିର୍ବାଚନ କମିଶନଙ୍କ ପାଖରେ ଦାବି କରିଥିଲେ । ତେବେ ଭୋଟ ଗଣତି ପ୍ରକ୍ରିୟା ୫ରୁ ୬ ଦିନ ବଢିଯିବ ବୋଲି କହି କମିଶନ ଆବେଦନକୁ ଖାରଜ କରିଦେଇଥିଲେ। ଯାହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

 ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ବାରା ସାଧାରଣ ଲୋକ, ରାଜନୈତିକ ଦଳଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଅଧିକ ବିଶ୍ବାସଯୋଗ୍ୟ ହେବ ଓ ସ୍ବଚ୍ଛତା ବଜାୟ ରହିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.