ଉତ୍ତରକାଶୀ ୫।୬: ଉତ୍ତରକାଶୀ ଟେହରୀ ବର୍ଡରର ୧୫ ହଜାର ଫୁଟ ଉଚ୍ଚତାରେ ଥିବା ଶହସ୍ରତାଲ ଟ୍ରାକରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ପର୍ବତାରୋହୀ ଥିଲେ ଓ ସେମାନଙ୍କ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁସାରେ ପାଖାପାଖି ୨୨ ଜଣ ଶହସ୍ରତାଲ ଟ୍ରେକିଂରୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।
ଫେରିବା ରାସ୍ତାରେ ପାଗ ଖରାପ ହେବା ଯୋଗୁ ଟ୍ରେକରମାନେ କୁଫରୀ ଟପରେ ଫଶି ଯାଇଥିଲେ। ସେମାନେ ମେ ୨୯ରେ ଟ୍ରେକିଂରେ ଯାଇଥିଲେ ଓ ଜୁନ ୭ ତାରିଖ ସୁଦ୍ଧା ସେମାନଙ୍କର ଫେରିବାର ଥିଲା। ଏହି ଟ୍ରେକରମାନେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଆସିଥିଲେ। ରାସ୍ତାରେ ପାଗ ଖରାପ ହେବା ଯୋଗୁ ଟ୍ରେକରଙ୍କ ଗାଇଡ ସରକାରଙ୍କୁ ସହାୟତା ମାଗିଥିଲେ। ଏଣୁ ଟେହରୀ ପ୍ରଶାସନ ନିଜନିଜ ଜିଲ୍ଲାରୁ ଏସଡିଆରଏଫ ଟିମ୍କୁ କଲ୍ୟାଣ ବେଶ୍ କ୍ୟାମ୍ପକୁ ପଠାଇଥିଲେ।
ଏହି ବେଶ୍ କ୍ୟାମ୍ପରୁ ଶହସ୍ରତାଲ ଟ୍ରେକିଂରେ ଚଢିବା ଆରମ୍ଭ ହୋଇଥାଏ। ଉଦ୍ଧାରକାରୀ ଦଳ ୭ ଜଣଙ୍କୁ ଉଦ୍ଧାର କରି ବେଶ୍ କ୍ୟାମ୍ପକୁ ଆଣିଥିଲେ। ତେବେ ଅତ୍ୟଧିକ ଥଣ୍ଡା ଯୋଗୁ ୫ ଜଣ ପ୍ରାଣ ହରାଇଥିଲେ। ଏବେ ଆଉ ୪ ଜଣଙ୍କ ସନ୍ଧାନ କରାଯାଉଛି ତେବେ ପାଗ ଖରାପ ଥିବାରୁ ରେସ୍କ୍ୟୁ ଅପରେସନକୁ ରୋକି ଦିଆଯାଇଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁଃଖ ବ୍ୟକ୍ତ କରିଛନ୍ତି। କହିଛନ୍ତି ଯେ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳଙ୍କୁ ରେସ୍କ୍ୟୁ ପାଇଁ ପଠାଯାଇଛି। ଏଥିରେ ଯଦି ଆବଶ୍ୟକ ପଡେ ତେବେ ସେନାର ସହାୟତା ବି ନିଆଯାଇପାରେ ।