କରୋନା ପୀଡିତ ମା'ର ଶବକୁ କାନ୍ଧ ଦେଇ ସଂକ୍ରମଣରେ ୫ ପୁଅଙ୍କ ମୃତ୍ୟୁ : ଆଉ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | July 21, 2020 IST

ଧାନବାଦ ୨୧/୦୭ : ଝାରଖଣ୍ଡରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି | କରୋନା ଭାଇରସ ସଂକ୍ରମଣ ଗୋଟିଏ ପରିବାରକୁ ଛାରଖାର କରିଦେଇଛି | କରୋନା ଯୋଗୁଁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇସାରିଛି | ପରିବାରର ଆଉ ଜଣେ ସଦସ୍ୟଙ୍କ ଅବସ୍ଥା ଗୁରୁତର ରହିଛି | କରୋନା ପୀଡିତ ମା'ଙ୍କ ଅର୍ଥୀକୁ କାନ୍ଧ ଦେଇଥିବା ପୁଅମାନେ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଥିଲେ | ମା'ଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟେ ୫ ପୁଅଙ୍କର ମୃତ୍ୟୁ ହୋଇସାରିଛି | ଆଉ ଜଣେ ପୁଅର ଅବସ୍ଥା ଗମ୍ଭୀର ରହିଛି |

ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ଭିତରେ କରୋନା ଭାଇରସରେ ସଂକ୍ରମିତ ଏହି ପରିବାରର ୬ଜଣଙ୍କର ମୃତ୍ୟୁ ହୋଇଛି | ଭାରତରେ ଏହା ସମ୍ଭବତଃ ପ୍ରଥମ ମାମଲା, ଯେଉଁଥିରେ ଗୋଟିଏ ପରିବାରର ୬ଜଣ ପ୍ରାଣ ହରାଇଛନ୍ତି ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ମାମଲା ଧନବାଦ ଅନ୍ତର୍ଗତ କତରାଶ ଅଞ୍ଚଳର | ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲରେ ୬ ଜଣଙ୍କର ମୃତ୍ୟୁ ହୋଇଛି | ଜୁଲାଇ ୪ ତାରିଖରେ ୮୮ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ବୋକାରୋର ଏକ ନର୍ସିଂହୋମରେ ହୋଇଥିଲା | ଶବ ଯାଞ୍ଚରେ ଜଣାପଡିଥିଲା ମହିଳା କରୋନା ପଜିଟିଭ ଥିଲେ | ତାଙ୍କ ପରେ ବିସିସିଏଲ ସେଣ୍ଟ୍ରାଲ ହସ୍ପିଟାଲ କୋଭିଡ ସେଣ୍ଟରରେ ତାଙ୍କର ଜଣେ ପୁଅର ମୃତ୍ୟୁ ହୋଇଥିଲା | ଏହାପରେ ପିଏମସିଏଚ ହସ୍ପିଟାଲରେ ଦ୍ୱିତୀୟ ପୁଅର ମୃତ୍ୟୁ ହୋଇଥିଲା | ରାଞ୍ଚି ରିମ୍ସ ହସ୍ପିଟାଲରେ ତୃତୀୟ ପୁଅର ମୃତ୍ୟୁ ହୋଇଥିଲା ଏବଂ ଜାମସେଦପୁର ହସ୍ପିଟାଲରେ ଚତୁର୍ଥ ପୁଅର ମୃତ୍ୟୁ ହୋଇଥିଲା | ପଞ୍ଚମ ପୁଅ ମଧ୍ୟ ସୋମବାର ଦିନ ରିମ୍ସ ହସ୍ପିଟାଲରେ ପ୍ରାଣ ହରାଇଥିଲେ |

ସୂଚନାଯୋଗ୍ୟ ଯେ, ଗତ ମାସରେ ମହିଳା ଏକ ବିବାହ ସମାରୋହରେ ସାମିଲ ହେବାକୁ ଦିଲ୍ଲୀ ଯାଇଥିଲେ | ସେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.