ଗମ୍ଭୀରଙ୍କ ଗୁରୁମନ୍ତ୍ର, ନାରିନ୍‌ଙ୍କ ଦମ୍‌ଦାର୍‌ ପ୍ରଦର୍ଶନ; ୫କାରଣରୁ ହେଲା KKR ଚାମ୍ପିଅନ୍‌

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ ୨୭।୦୫: ଆକଳନ ହେଲା ସତ । ପ୍ରଥମ କ୍ୟାଲିଫାୟର ମ୍ୟାଚ୍‌ ବିଜେତା ହାତେଇଲା ଟ୍ରଫି । ୩ୟ ଥର ଆଇପିଏଲ୍‌ ଚାମ୍ପିୟନ ହେଲା KKR । ସେପଟେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଅସ୍ତ ହୋଇଗଲା ହାଇଦ୍ରାବାଦ । ଲିଗ୍‌ ପର୍ଯ୍ୟାୟରେ ଦୁର୍ଦ୍ଦଶ ପ୍ରଦର୍ଶନ, କିନ୍ତୁ ଫାଇନାଲରେ ଫେଲ୍‌ । ହାଇଦ୍ରାବାଦ ପାଇଁ  କାଳ ହେଲା ନୈରାଶ୍ୟଜନକ ବ୍ୟାଟିଂ ପରେ ନିମ୍ନମାନର ବୋଲିଂ । 

ଅନ୍ୟପଟେ ୧୦ ବର୍ଷ ପରେ ବିଜୟର ସ୍ବାଦ ଚାଖିଛି କେକେଆର୍‌ । ୨୦୧୨, ୨୦୧୪ ପରେ ୨୦୨୪ରେ ଦଳ ପୁଣି ହୋଇଛି ଚାମ୍ପିୟନ୍‌ ।  ହାଇଭୋଲଟେଜ୍‌ ମ୍ୟାଚ୍‌ରେ KKR ବିଜୟର ୫ କାରଣ ରହିଛି । ଟିମ୍‌ର ଦମ୍‌ଦାର୍‌ ପ୍ଲେୟର ଟ୍ରଫି ହାତେଇବାର ସାଜିଛନ୍ତି କର୍ଣ୍ଣଧାର । 

କେକେଆର ପାଇଁ ଲକି ସୁନୀଲ ନାରିନ୍‌ । ଗମ୍ଭୀରଙ୍କ ଗାଇଡ୍‌ରେ ଟିମ୍‌ର ଓପନିଂ ବ୍ୟାଟ୍ସମ୍ୟାନ୍‌ ହୋଇ ପଡିଆକୁ ଓହ୍ଲାଇଥିଲେ । ନାରିନ୍‌ ପ୍ରାୟ ୧୮୧ର ଜବରଦସ୍ତ ଷ୍ଟ୍ରାଇକ୍ରେଟ୍‌ରେ କରିଥିଲେ ବ୍ୟାଟିଂ । ଚଳିତ ସିଜନରେ ନାରିନ୍‌ଙ୍କ ଦମ୍‌ଦାର୍‌ ବୋଲିଂ ଦେଖିବାକୁ ମିଳିଥିଲା । ସେ ପୁରା ସିଜିନ୍‌ରେ ୧୭ଟି ୱିକେଟ୍ ନେଇଛନ୍ତି । ନାରିନଙ୍କ ଅଲରାଉଣ୍ଡର ପ୍ରଦର୍ଶନ କେକେଆର୍ ଚାମ୍ପିଅନ୍ ହେବାରେ ବହୁତ ବଡ ଅବଦାନ ରହିଛି ।  

୨୦୧୫ ପରେ ଆଇପିଏଲ୍‌କୁ ଫେରିଛନ୍ତି ମିଚେଲ ଷ୍ଟାର୍କ । ୨୫ କୋଟିରେ କିଣା ହୋଇଥିଲେ ଷ୍ଟାର୍କ । ସେ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳି । ଯେଉଁ କାରଣରୁ ତାଙ୍କ ଉପରେ ପଡିଥିଲା ଚାପ ଆଉ ସେ ଲିଗ୍‌ ମ୍ୟାଚ୍‌ କରିପାରିନଥିଲେ ଭଲ ପ୍ରଦର୍ଶନ । କିନ୍ତୁ ପ୍ଲେଅଫ୍ ମ୍ୟାଚରେ ଷ୍ଟାର୍କ ଫେରିଥିଲେ ଫର୍ମକୁ । ଷ୍ଟାର୍କ SRH ବିପକ୍ଷ କ୍ୟାଲିଫାୟର ମ୍ୟାଚରେ ନେଇଥିଲେ ୩ ୱିକେଟ୍ ଏବଂ ଫାଇନାଲ୍ ମ୍ୟାଚରେ ୨ ୱିକେଟ୍ ନେଇଛନ୍ତି । ଯାହା ତାଙ୍କୁ ବର୍ତ୍ତମାନର ସମୟର ସବୁଠାରୁ ଘାତକ ବୋଲର ଆଖ୍ୟା ଦେଇଛି । 

ଅନ୍ୟପଟେ KKR ପ୍ଲେୟରଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଗୌତମ ଗମ୍ଭୀର । ଚଳିତ ସିଜିନ୍‌ରେ ମେଣ୍ଟର ଭାବେ ଟିମ୍‌ରେ ହୋଇଥିଲେ ସାମିଲ । ପୂର୍ବରୁ ଗମ୍ଭୀରଙ୍କ ଅଧିନାୟିକତ୍ବରେ ୨୦୧୨ ଏବଂ ୧୪ରେ ଚାମ୍ପିୟନ୍‌ ହୋଇଥିଲା କେକେଆର୍‌ । ଗମ୍ଭୀରଙ୍କ କ୍ୟାପଟେନସିପ୍‌ ଏବଂ କୋଚିଙ୍ଗରେ ଆକ୍ରମଣାତ୍ମକ ଝଲକ୍‌ ଦେଖିବାକୁ ମିଳିଛି । ତାଙ୍କର ଆଗ୍ରେସିଭ୍‌ ରଣନୀତି ଏବଂ ଗୁରୁମନ୍ତ୍ର ଯୋଗୁଁ କେକେଆର ହାତେଇଛି ଟ୍ରଫି । 

ଆଇପିଏଲ୍‌ ୨୦୨୪ରେ ଶାନଦାର୍‌ କ୍ୟାପଟେନସିପ୍‌ କରିଥିଲେ ଶ୍ରେୟସ ଆୟର । ପରିସ୍ଥିତିକୁ ସମ୍ଭାଳିବାର ଟ୍ୟାଲେଣ୍ଟ ଆୟରଙ୍କ ପାଖରେ ରହିଛି । ଏହାପୂର୍ବରୁ ୨୦୨୦ରେ ଆୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍‌କୁ ଫାଇନାଲରେ ପହଞ୍ଚିଥିଲା । କିନ୍ତୁ ଏଥର ଆୟର ଅଧିନାୟକତ୍ୱରେ କୌଣସି ଭୁଲ କରିନାହାଁନ୍ତି । ଟ୍ରଫି ଜିତିବା ପରେ ହିଁ ଦମ୍‌ ନେଇଛନ୍ତି । 

ଆଇପିଏଲ୍ ୨୦୨୪ର ଦେଖିବାକୁ ମିଳିଥିଲା କେକେଆର୍‌ ସ୍ପିନରଙ୍କ ଯୋଡି । ହର୍ଷିତ ରାଣା ଏବଂ ବୈଭବଙ୍କ ପରି ଯୁବ ବୋଲର ଦେଖାଇଥିଲେ ଦମ୍‌ । କିନ୍ତୁ ସୁନୀଲ ନାରିନ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ମ୍ୟାଜିକାଲ୍ ସ୍ପିନ୍ ଯୋଡି ଟ୍ରଫି ହାତେଇବାରେ କରିଥିଲା କୋଲକାତାକୁ ସାହାଯ୍ୟ । ଚକ୍ରବର୍ତ୍ତୀ ଚଳିତ ସିଜନରେ କୋଲକାତା ପାଇଁ ସର୍ବାଧିକ ୱିକେଟ୍ ନେଇ ୨୧ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନକୁ ପଠାଇଥିଲେ । 

ତାଙ୍କର ସ୍ପିନ୍ ପାର୍ଟନର ସୁନୀଲ ନାରିନ ୧୭ଟି ୱିକେଟ୍ ନେଇ ତାଙ୍କ ସାଥ୍‌ ଦେଇଥିଲେ ।  ମାତ୍ର ୧୦ ଓଭର ୩ ବଲ୍‌ରେ ଲକ୍ଷ୍ୟ ହାସଲ କରିଥିବା କେକେଆର ପକ୍ଷରୁ ଭେଙ୍କଟେଶ ଆୟର ସର୍ବାଧିକ ୫୨ ରନ୍‌ କରିଥିବା ବେଳେ ଗୁରବାଜ୍‌ ୩୯ ରନ୍‌ କରିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.