ଚାଷୀ ଆନ୍ଦୋଳନକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ୫ ବିରୋଧୀ ଦଳ ନେତା, କହିଲେ ଏକତରଫା ଆଇନ ପ୍ରତ୍ୟାହାର ହେଉ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୯।୧୨:  କୃଷି ସଂଶୋଧନ ଆଇନ-୨୦୨୦କୁ ନେଇ ଉପୁଜିଥିବା ଚାଷୀ ଅସନ୍ତୋଷରେ ବୁଧବାର ୫ ବିରୋଧୀ ଦଳ ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ସରକାର ଆଇନରେ ପରିଣତ କରିଥିବା କୃଷି ସଂଶୋଧନ ଆଇନ ଏକତରଫା ଓ ତରବରିଆ ବୋଲି କହିଛନ୍ତି। ସଂସଦରେ ଆଇନ ନେଇ ସରକାର ଆଲୋଚନା ମଧ୍ୟ କରିନଥିବା ରାଷ୍ଟ୍ରପତିଙ୍କୁ କହିଛନ୍ତି। ଏଣୁ ଆଇନ ପ୍ରତ୍ୟାହାର ହେବା ଦରକାର ବୋଲି ସେମାନେ ଦାବି କରିଛନ୍ତି।

କଂଗ୍ରେସ ସାଂସଦ ରହୁଲ ଗାନ୍ଧି ଚାଷୀମାନେ ପ୍ରତ୍ୟାହାର ଦାବି କରୁଥିବା ସମସ୍ତ ୩ଟି ଜାକ ଆଇନକୁ ଜନବିରୋଧୀ ଓ ସଂସଦ ଦ୍ୱାରା ଅନୁମୋଦିତ ନୁହେଁ ବୋଲି କହିଛନ୍ତି। ଏଣୁ ଏଭଳି ଆଇନ ସରକାର ପ୍ରତ୍ୟାହାର  କରିବା ଦରକାର ବୋଲି ଦାବି କରିଛନ୍ତି।  ସରକାର ଚାଷୀଙ୍କ ମନକଥା ବୁଝିବାକୁ ଚେଷ୍ଟା କରନ୍ତୁ ଓ ଜନବିରୋଧୀ ଆଇନ ତୁରନ୍ତ ପ୍ରତ୍ୟାହାର ଲାଗି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି। ସେହିପରି ସିପିଏମ ନେତା ଆମେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଇଥିବା କହିଛନ୍ତି।

ୟେଚୁରି କହିଛନ୍ତି ଯେ ଆମେ ସରକାରଙ୍କ କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ଆଇନ ରଦ୍ଦ କରିବା ଲାଗି ଦାବି କରିଛୁ। ଏଗୁଡିକୁ ସରକାର ଗଣତାନ୍ତ୍ରିକ ଉପାୟରେ ଆଇନରେ ପରିଣତ କରିନାହାନ୍ତି। ଏଣୁ ଏଭଳି ଆଇନ ରଦ୍ଦ ହେବା ଦରକାର। ସେହିପରି ଏନସିପି ନେତା ଶରଦ ପାୱାର ଭୀଷଣ ଥଣ୍ଡାରେ ଦେଶର ଚାଷୀ ସଡ଼କରେ ବସିଥିବା କହିଛନ୍ତି। ସରକାରଙ୍କ ଜନବିରୋଧୀ ଆଇନକୁ ନେଇ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ଚାଷୀଙ୍କୁ ବୁଝାସୁଝା କରି ସେମାନଙ୍କ ଦାବି ପୂରଣ କରିବା ସରକାରଙ୍କ ନୈତିକ ଦାୟିତ୍ୱ ବୋଲି କହିଛନ୍ତି।

ରାହୁଲ ଗାନ୍ଧିଙ୍କ ସମେତ ସୀତାରାମ ୟେଚୁରୀ, ଏନସିପି ନେତା ଶରଦ ପାୱାର, ସପିଆଇ ନେତା ଡି. ରାଜା, ଡିଏମକେ ନେତା ଟି.କେ.ଏସ୍.ଏଲେନଗୋବନ ପ୍ରମୁଖ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.