Forbes ୧୦୦ ଧନୀ ଭାରତୀୟଙ୍କ ତାଲିକା, NYKAA ମାଲିକାଣୀଙ୍କଠୁ ନେଇ ଝୁନଝୁନଓ୍ଵାଲାଙ୍କ ସ୍ତ୍ରୀ ସାମିଲ୍

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଳୀ, ୨୯/୧୧:  ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକା। ୨୦୨୨ ରେ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ନାମ ରହିଛି ଏହି ତାଲିକାରେ। ଚଳିତ ବର୍ଷ ଦେଶରେ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ବୃଦ୍ଧି ଦେଖିବାକୁ ମିଳିଛି। ତାଲିକା ଅନୁଯାୟୀ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୨୫ ବିଲିୟନ ୟୁଏସ ଡଲାର ବୃଦ୍ଧି ହୋଇଛି ଏବଂ ଏହା ୮୦୦ ବିଲିୟନ ଡଲାର ଛୁଇଁଛି।ଏହି ତାଲିକାରେ  ଶିଳ୍ପପତି ଗୌତମ ଆଦାନୀ ଶୀର୍ଷରେ ରହିଥିବାବେଳେ ଏହି ତାଲିକାରେ ୫ ନୂଆ ଶିଳ୍ପପତିଙ୍କ ନାମ ମଧ୍ୟ ଯୋଡ଼ିହୋଇଛି। ତାଲିକା ଅନୁଯାୟୀ, ଆଦାନୀଙ୍କ ଚଳିତ ବର୍ଷ ମୋଟ ସମ୍ପତ୍ତି ୨୫୦ ବିଲିୟନ ଡଲାର ରହିଛି।

ତେବେ ଆସନ୍ତୁ ଜାଣିବା ଫୋର୍ବସ୍‌ରେ ପ୍ରକାଶିତ ୧୦୦ ଧନୀ ଭାରତୀୟଙ୍କ ତାଲିକା ମଧ୍ୟରେ ସ୍ଥାନ ପାଇଥିବା ୫ ନୂଆ ଧନୀ ବ୍ୟକ୍ତିଙ୍କ ନାମ।

୧. ଫାଲଗୁନୀ ନାୟର:

କସମେଟିକ୍ସ ପ୍ଲାଟଫର୍ମ Nykaa ର ଫାଉଣ୍ଡର ଫାଲଗୁନୀ ନାୟର ଭାରତର ୧୦୦ ଧନୀଙ୍କ ମଧ୍ୟରେ ଡେବ୍ୟୁ କରିଛନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ୪.୮ ବିଲିୟନ ରହିଛି। ଫୋବର୍ସ ଅନୁଯାୟୀ, ଫାଲଗୁନୀଙ୍କ କମ୍ପାନୀ ମୂଲ୍ୟ ୪୮୦ ମିଲିୟନ ଡଲାର ରହିଛି।

୨. ରେଖା ଝୁନଝୁନଓ୍ବାଲା:

ଆକାଶ ଏୟାରଲାଇନ୍ସର ଫାଉଣ୍ଡର ସ୍ବର୍ଗତ ରାକେଶ ଝୁନଝୁନଓ୍ବାଲାଙ୍କ ପତ୍ନୀ ରେଖା ଝୁନଝୁନଓ୍ବାଲା ମଧ୍ୟ ଭାରତୀୟ ଶେୟାର ମାର୍କେଟରେ ବିଗ୍ ବୁଲ୍ ନାମରେ ପରିଚିତ। ତାଙ୍କର ସମୁଦାୟ ସମ୍ପତ୍ତି ୫.୯ ମିଲିୟନ ଡଲାର ରହିଛି।

୩. ବେଣୁ ଶ୍ରୀନିବାସନ:

ଭାରତର ଏକ ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ଟିଭିଏସର ଚେୟାରମ୍ୟାନ୍ ବେଣୁ ଶ୍ରୀନିବାସନ। ପଦ୍ମ ଭୂଷଣ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ସମୁଦାୟ ସମ୍ପତ୍ତି ୩.୨୫ ବିଲିୟନ ଡଲାର ରହିଛି। ଏହା ସହ ସେ ୧୦୦ ଧନୀ ତାଲିକାରେ ଡେବ୍ୟୁ କରିଛନ୍ତି।

୪. ଭାକିଲ୍‌ ପରିବାର:

୧୯୪୨ ରେ ସ୍ଥାପିତ ହୋଇଥିବା ଏସିଆନ୍ ପେଣ୍ଟ୍ସ କମ୍ପାନୀକୁ ନେହଲ ଭାକିଲ ଏବଂ ଫାମିଲି ଅନେକ ପିଢ଼ି ଧରି ଚଳାଇଆସୁଛନ୍ତି । ଫୋର୍ବସ ୨୦୨୨ ତାଲିକା ଅନୁଯାୟୀ ଭାକିଲ୍ ଫ୍ୟାମିଲିର ସମୁଦାୟ ସମ୍ପତ୍ତି ୫.୨ ବିଲିୟନ ଡଲାର ରହିଛି।

୫. ରବି ମୋଦୀ:

ବେଦାନ୍ତ ଫ୍ୟାଶନର ଫାଉଣ୍ଡର ରବି ମୋଦୀ ଦେଶର ୧୦୦ ଧନୀ ତାଲିକାରେ ଡେବ୍ୟୁ କରିଛନ୍ତି। ମାନ୍ୟଭର ଭଳି ଅନେକ ଫ୍ୟାଶନ ଆଉଟଲେଟର ମାଲିକାନା ରହିଛି ତାଙ୍କ ନାମରେ। ଭାରତୀୟ ପାରମ୍ପରିକ ପୋଷାକ ତିଆରି କରିବାରେ ବିଶ୍ବର ବୃହତ୍ତମ ଉତ୍ପାଦନକାରୀ। ତାଙ୍କର ସମୁଦାୟ ସମ୍ପତ୍ତି ୩.୮ ବିଲିୟନ ଡଲାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.