ଅଜିତ ପାୱାରଙ୍କ ବୈଠକକୁ ଆସିଲେନି NCPର ୫ ବିଧାୟକ, ଜାଣନ୍ତୁ ଦେଉଛି କେଉଁ ସଂକେତ?

Published By : Prameya-News7 Bureau | June 06, 2024 IST

ମୁମ୍ବାଇ ୬।୬: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ତାଙ୍କ ବିଧାୟକଙ୍କ ସହିତ ଗୁରୁବାର ହୋଟେଲ ଟ୍ରାଇଡେଣ୍ଟରେ ଏକ ବୈଠକ କରିବାର ଥିଲା। ଖବର ଆସୁଛି ତାଙ୍କର ୫ ବିଧାୟକ ବୈଠକରେ ଯୋଗ ଦେବାକୁ ହୋଟେଲ ଯାଇ ନାହାନ୍ତି। ଏହା ପୂର୍ବରୁ ସୂତ୍ରରୁ ମିଳିଥିବା ସୂଚନାରେ ଅଜିତ ପାୱାରଙ୍କ ଗୋଷ୍ଠୀର ୧୦-୧୫ ବିଧାୟକ ଶରଦ ପାୱାରଙ୍କ ସମ୍ପର୍କରେ ଥିବାର କୁହାଯାଇଥିଲା। ଏହା ପୂର୍ବରୁ ଅଜିତ ପାୱାରଙ୍କ ଘରେ କୋରକମିଟି ସଦସ୍ୟଙ୍କ ବୈଠକ ହୋଇଥିଲା। ଯେଉଁଥିରେ ସନ୍ଧ୍ୟାରେ ବିଧାୟକଙ୍କ ବୈଠକ ଡକାଯାଇଥିଲା। 

କୁହାଯାଉଛି ଅଜିତ ପାୱାରଙ୍କ କେତେକ ବିଧାୟାକ ଶରଦ ପାୱାରଙ୍କ ସହିତ ସମ୍ପର୍କ କରିବାକୁ ଚେଷ୍ଟାରେ ଅଛନ୍ତି। ଏଥିରୁ ଯାହା ମନେ କରାଯାଉଛି ଆଗାମୀ ଦିନରେ ବିଧାୟକଙ୍କ ଦଳ ବଦଳ ଆରମ୍ଭ ହୋଇଯିବ। ହେଲେ ଏବେ ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କ ଉପରେ କୌଣସି ସଂକଟ ନାହିଁ, କିନ୍ତୁ ଆଗାମୀ ମାସ ମାନଙ୍କରେ ହଲଚଲ ଦେଖିବାକୁ ମିଳିପାରେ। କାରଣ ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟ ବିଧାନସଭା ନିର୍ବାଚନ ହେବ। 

ଅଜିତ ପାୱାରଙ୍କ ଏନସିପି ଅନେକ ସମସ୍ୟାରେ ଘେରି ରହିଛି। ଲୋକସଭା ନିର୍ବାଚନରେ ପାର୍ଟିର ଖରାପ ପ୍ରଦର୍ଶନ ଓ ଖାସ କରି ବାରାମତୀ ଆସନରେ ପ୍ରାର୍ଥୀଙ୍କ ପରାଜୟ ଅଜିତ ପାୱାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବାରାମତୀରେ ଅଜିତଙ୍କ ପତ୍ନୀ ସୁନେତ୍ରା ପାୱାର ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ତେବେ  ସୁନେତ୍ରାଙ୍କ ନଣନ୍ଦ ସୁପ୍ରିୟା ସୁଲେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି।  ବିଧାୟକଙ୍କ ଯୋଗ ନ ଦେବା ନେଇ ଅଜିତ ପାୱାରଙ୍କ ପାର୍ଟି ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.