ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ମେଘାଳୟର ୫ ବିଧାୟକ, ଏହି ଦଳରେ ମିଶିବେ
18/01/2023 at 4:15 PM

ଶିଲଂ: ଆଜି ୩ ରାଜ୍ୟ- ନାଗାଲାଣ୍ଡ, ମେଘାଳୟ, ଏବଂ ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ତେବେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମେଘାଳୟରେ ବିଭିନ୍ନ ଦଳର ୫ ବିଧାୟକ ଇସ୍ତଫା ଦେଇଛନ୍ତି। ଏମାନେ ସମସ୍ତେ ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ହିଲ୍ ଷ୍ଟେଟ୍ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି(HSPDP)ର ବିଧାୟକ ରେଣିକ୍ତନ ଲିଙ୍ଗଦୋହ ଟୋଙ୍ଗଖାର, ଟିଏମ୍ସି ବିଧାୟକ ଶିତଲଙ୍ଗ ପାଲେ, ନିଲମ୍ବିତ କଂଗ୍ରେସ ବିଧାୟକ ମାୟରଲବର୍ଣ୍ଣ ଶେଇମ, ପିଟି ସ୍ୱକମିଏ ଓ ସ୍ୱାଧୀନ ବିଧାୟକ ଲମ୍ବୋର ମଲାଜିଙ୍ଗ୍ ରହିଛନ୍ତି।
ଏହି ଇସ୍ତଫା ସହ ରାଜ୍ୟରେ କଂଗ୍ରେସ ଓ HSPDP ଦଳର ବିଧାୟକ ସଂଖ୍ୟା ଶୂନ୍ୟ ହୋଇଯାଇଛି। ବର୍ତ୍ତମାନ ମେଘାଳୟରେ ଏହି ଦୁଇ ଦଳର ଗୋଟିଏ ବି ବିଧାୟକ ନାହାନ୍ତି। ଏହାରି ଭିତରେ ୧୮ ବିଧାୟକକ ମେଘାଳୟ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ଅନ୍ୟପଟେ ନିର୍ବାଚନକୁ ଲଢିବା ନେଇ ବିଜେପି ଏଥର ଏକାକୀ ଅଣ୍ଟା ଭିଡିଛି। ମେଘାଳୟ ଡେମୋକ୍ରାଟିକ୍ ଆଲିଆନ୍ସ ସହ ମେଣ୍ଟ କରି ସରକାର ଗଠନ କରିଥିବା ବିଜେପି ଏଥର ଏକ ନିର୍ବାଚନ ଲଢ଼ିବ ବୋଲି ପୂର୍ବରୁ ଘୋଷଣା କରିସାରିଛି।
କେବଳ ବିଜେପି ନୁହେଁ ନ୍ୟାସ୍ନାଲ ପିପୁଲ୍ସ ପାର୍ଟି(ଏନ୍ପିପି) ମଧ୍ୟ ଏଥର ଏକା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ୬୦ ସଦସ୍ୟ ବିଶିଷ୍ଟ ନିର୍ବାଚନରେ ଏନ୍ପିପି ପାଖାପାଖି ଅଧା ଆସନ ଜିତିବ ବୋଲି ଦଳ ଦାବି କରିଛି। ମାର୍ଚ୍ଚ ୧୫ ତାରିଖରେ ମେଘାଳୟ ବିଧାସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ସୂଚନା ଥାଉକି ଆଜି ୩ ପୂର୍ବୋତ୍ତର ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବ୍ରୁଆରୀ ୧୬ ତାରିଖରେ ତ୍ରିପୁରା ଏବଂ ମେଘାଳୟ ଓ ନାଗାଲାଣ୍ଡ ଫେବ୍ରୁଆରୀ ୨୭ ତାରିଖରେ ମତଦାନ ହେବ । ସେହିପରି ମାର୍ଚ୍ଚ ୨ ତାରିଖରେ ତିନି ରାଜ୍ୟର ନିର୍ବାଚନ ଫଳ ପ୍ରକାଶ ପାଇବ ।