ଏପଟେ ଜଳୁଥିଲା ହୋମ ନିଆଁ ସେପଟେ ଜଳିଲା ଯୁଇ; ଝିଅ ବାହାଘର ବେଳେ ଜଳିଗଲେ ମାଆ ଓ ପରିବାର ୪ ସଦସ୍ୟ, ୧୪ ମୃତ
2/02/2023 at 7:14 PM

ଧାନବାଦ: ବିବାହ ସମସ୍ତଙ୍କ ଜୀବନରେ ଏକ ସୁଖଦ ମୁହୂର୍ତ୍ତ। ବିବାହର ସ୍ମୃତିକୁ ସାଉଁଟି ରଖିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ ସ୍ୱାତୀ ତାଙ୍କ ବିବାହ ଉତ୍ସବର ସ୍ମୃତି କେବେ ବି ସାଉଁଟି ରଖିବାକୁ ଚେଷ୍ଟା କରିବେନି। କାରଣ ଯେତେବେଳେ ବି ତାଙ୍କର ବିବାହ କଥା ମନେପଡ଼ିବ ତାଙ୍କୁ ଗୋଟେ ଅଜଣା ଭୟ ଖାଇ ଗୋଡ଼ାଇବ। କାରଣ ବିବାହ ବେଦୀରେ ଜୀବନ ସାଥୀ ସହ ସଂସାର କରିବାକୁ ଶପଥ ନେଲା ବେଳେ ସ୍ୱାତୀ ହରାଇଲେ ପରିବାରର ୫ ସଦସ୍ୟ।
ସ୍ୱାତୀଙ୍କ ପାଇଁ ତାଙ୍କ ବିବାହ ମଣ୍ଡପ ଶ୍ମାଶନ ଭୂଇଁ ପାଲଟି ଗଲା। ପରିବାରର ୫ ସଦସ୍ୟଙ୍କ ବ୍ୟତୀତ ଚାଲିଗଲା ୯ ଜଣଙ୍କର ଜୀବନ। ଝାଡ଼ଖଣ୍ଡ ଧାନବାଦରେ ଏଭଳି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ମଙ୍ଗଳବାର ଧାନବାଦର ଜୋରାଫାଟକ ସ୍ଥିତ ଆଶୀର୍ବାଦ ଟାୱରର ଦ୍ୱିତୀୟ ମହଲାରେ ନିଆଁ ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ସ୍ୱାତୀଙ୍କ ପରିବାର ୫ ଜଣଙ୍କ ସମେତ ଅନ୍ୟ ୯ ଜଣଙ୍କର ନିଆଁରେ ପୋଡ଼ି ମୃତ୍ୟୁ ହୋଇଛି।
ମଙ୍ଗଳବାର ଅପରାହ୍ନ ସମୟ। ମାହେନ୍ଦ୍ର ବେଳା ଗଡ଼ିଯାଉଛି। ଝିଅ ବାହାଘର ପାଇଁ ସମସ୍ତେ ବିବାହ ମଣ୍ଡପକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ତେଣେ ମଣ୍ଡପକୁ ଆଗୁଆ ବାହାରି ସାରିଛି ଝିଅ। ଘର ଠାରୁ ମାତ୍ର ଗୋଟିଏ କିମି ଦୂରରେ ବିବାହ ମଣ୍ଡପ। ହେଲେ ସ୍ୱାତୀଙ୍କ ବାପା ସୁବୋଧ ଲାଲ୍, ମାଆ ଓ ପରିବାର ଅନ୍ୟ ସଦସ୍ୟ ସବୁ ମଣ୍ଡପକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସନ୍ଧ୍ୟା ପ୍ରାୟ ୬.୧୫ ସମୟରେ ଆଶୀର୍ବାଦ ଟାୱରର ଦ୍ୱିତୀୟ ମହଲାରେ ହଠାତ୍ ଲାଗିଲା ନିଆଁ। ଚାହୁଁ ଚାହୁଁ ଘରସାରା ବ୍ୟାପିଗଲା।
ପରିବାରକୁ ବଞ୍ଚାଇବାକୁ ଶତ ଚେଷ୍ଟା କରି ସ୍ୱାତୀଙ୍କ ବାପା ସୁବୋଧ ଏହି ଦୁର୍ଘଟଣାରୁ ରକ୍ଷା ପାଇଗଲେ। ହେଲେ ସ୍ୱାତୀଙ୍କ ମାଆ, ଜେଜେ ବାପା ଜେଜେମା ଓ ପରିବାର ଅନ୍ୟ ୨ ଜଣ ନିଆଁରେ ପୋଡ଼ି ହୋଇ ଜୀବନ ହାରିଲେ।
ସେପଟେ ଜଳୁଥିଲା ହୋମ ନିଆଁ ଏପଟେ ଜଳିଲା ଯୁଇ ନିଆଁ
ଅମଙ୍ଗଳ ହେଲା ମଙ୍ଗଳବାର। ଘଟିଲା କେଡ଼େବଡ଼ ଦୁର୍ଘଟଣା। ହେଲେ ବିବାହ ପାଇଁ ଆଗୁଆ ଘରୁ ବାହାରି ଯାଇଥିବା ଝିଅ ସ୍ୱାତୀକୁ କିଛି ଜଣାଇଲେନି ଘର ଲୋକେ। ତେଣେ ମନ୍ତ୍ରପାଠ ସାଙ୍ଗକୁ ବିବାହ ଉତ୍ସବରେ ବର ଘର ଲୋକଙ୍କ ଭିଡ଼ ଭିତରେ ସ୍ୱାତୀଙ୍କ ପ୍ରଶ୍ନୀଳ ଆଖି ଖୋଜୁଥିଲା ତାଙ୍କ ପରିବାର ଲୋକଙ୍କୁ। ବାପା ମା ବିଷୟରେ ବାରମ୍ବାର ପଚାରି ଚାଲିଥିଲେ ସ୍ୱାତୀ। ହେଲେ ଶେଷ ଯାଏ, ନା ବାପା ଆସିଲେ ନା ମାଆ।
ପରିବାର ଲୋକଙ୍କ କାମ ଅନ୍ୟ ବନ୍ଧୁମାନେ ସାରିଦେଲେ। ଘଟଣା ସମ୍ପର୍କରେ ସୁବୋଧ ଲାଲ୍ଙ୍କ ବନ୍ଧୁ ମନୋଜ କହିଛନ୍ତି “ ସ୍ୱାତୀଙ୍କୁ ଏହି ଦୁର୍ଘଟଣା ବିଷୟରେ କୁହାଯାଇ ନଥିଲା। କିନ୍ତୁ ତାଙ୍କ ବାପାଙ୍କୁ ବିବାହ ମଣ୍ଡପକୁ ନିଆଯାଇଥିଲେ ବି ସେ ସ୍ତବ୍ଧ ଥିଲେ। ବିବାହ ଉତ୍ସବରେ ଯୋଗ ଦେଇପାରି ନଥିଲେ। ଅନ୍ୟ ବନ୍ଧୁମାନେ ବିଧି କାର୍ଯ୍ୟ ସାରିଥିଲେ।”
ହେଲେ ଏତେବଡ଼ କଥାକୁ ସ୍ୱାତୀଙ୍କୁ ବେଶି ସମୟ ପର୍ଯ୍ୟନ୍ତ ଲୁଚାଇ ରଖି ହେଲାନି। ସିନ୍ଦୂର ଦାନ ପରେ ଘଟଣା ସମ୍ପର୍କରେ ସ୍ୱାତୀ ଜଣାଇ ଦିଆଗଲା। ପରିବାର ଲୋକଙ୍କୁ ହରାଇ ସ୍ୱାତୀ ଏକମଦ୍ ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ବରଣମାଳା ବଦଳି ଭଳି ଅନ୍ୟାନ୍ୟ ପାରମ୍ପରିକ କାର୍ଯ୍ୟ ହୋଇପାରି ନଥିଲା ବୋଲି ମନୋଜ କହିଛନ୍ତି।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବିବାହ ବଳି ଏକ ଆନନ୍ଦ ଉତ୍ସବରେ ଏତେବଡ଼ ଦୁଃଖ ପୂରା ପରିବାରକୁ ଦୋହଲାଇ ଦେଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।