ସାମୁଦ୍ରିକ ଝଡ ଗୁଲାବ ତାଣ୍ଡବ : ସମୁଦ୍ରରୁ ଫେରୁଥିବା ବେଳେ ଓଲଟିଲା ଡଙ୍ଗା, ୫ ମତ୍ସ୍ୟଜୀବୀ ନିଖୋଜ

Published By : Prameya-News7 Bureau | September 26, 2021 IST

ଭୁବନେଶ୍ବର ୨୬/୦୯ : ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ୍‌ର ମୁରାବାଡି ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି । ମୁରାବାଡିରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା ରହିଥି​‌ଲେ ସୁଦ୍ଧା ସାମୁଦ୍ରିକ ଝଡ ଗୁଲାବର ବିଶେଷ ପ୍ରଭାବ ଅନୁଭୁତ ହୋଇନାହିଁ । ତେବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି ।

ସମୁଦ୍ରରୁ ଫେରୁଥିବା ବେଳେ ୫ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇ ଫସିରହିଥିଲେ କିଛି ମତ୍ସ୍ୟଜୀବୀ । ତେବେ ଭିତରେ ଝଡ ତୋଫାନ ହେବାରୁ ଫେରୁଥିବା ବେଳେ ଡଙ୍ଗା ଓଲଟି ପଡିବାରୁ ସମୁଦ୍ର ଭିତରେ ପଡିଯାଇଥିଲେ ୫ ଜଣ ମତ୍ସ୍ୟଜୀବୀ । ସମସ୍ତେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ବୋଲି ଜଣାପଡିଛି । ସମୁଦ୍ରରୁ ଫେରୁଥିବା ବେଳେ ମଣ୍ଡାସା ତଟ ନିକଟରେ ଡଙ୍ଗା ଓଲଟି ପଡିଥିବା ସୂଚନା ମିଳିଛି । ତେବେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ । ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ବଙ୍ଗୋପସାଗର ଉପକୂଳକୁ ସାମୁଦ୍ରିକ ଝଡ଼ ଗୁଲାବ ମାଡ଼ି ଆସୁଛି । ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ୍‌ର ମୁରାବାଡ଼ି ଠାରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ସନ୍ଧ୍ୟା ୬ଟା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡ୍‌ଫଲ୍‌କୁ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ପୂର୍ବରୁ ସୂଚନା ଦେଇଥିଲେ ।

ଆଇଏମ୍‌ଡି ଡିଜି ବାତ୍ୟାର ଲ୍ୟାଣ୍ଡଫଲ୍‌ ନେଇ କିଛି ସମୟ ପୂର୍ବରୁ ସୂଚନା ଦେଇଥିଲେ । ଏହି ପ୍ରକ୍ରିୟା ସରିବାକୁ ପାଖାପାଖି ୩ ଘଣ୍ଟା ସମୟ ଲାଗିବ । କଳିଙ୍ଗପଟ୍ଟନମ୍‌ଠାରୁ ୨୫ କିମି ଦୂରରେ ଏହା ଉପକୂଳ ଅତିକ୍ରମ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.