କୂଅରୁ ମିଳିଲା ପାଞ୍ଚ ମୃତଦେହ, ଝଗଡା ପରେ ଶ୍ଵଶୁର ଘରୁ ନିଖୋଜ ଥିଲେ ତିନି ଭଉଣୀ

Published By : Prameya-News7 Bureau | May 28, 2022 IST

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ଦୁଦୁ ଅଞ୍ଚଳରେ ଘଟିଛି ଲୋମହର୍ଷଣକାରି ଘଟଣା। ଗୋଟିଏ କୂଅରୁ ଏକ ସଙ୍ଗେ ମିଳିଲା ପାଞ୍ଚ ମୃତ ଦେହ। ଏହି ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତଦେହ ମଧ୍ୟରେ ରହିଛି ତିନି ମହିଳା ଏବଂ ଦୁଇ ଶିଶୁ। ସୂଚନା ଅନୁଯାୟୀ, ତିନି ଭଉଣୀଙ୍କ ବିବାହ ଗୋଟିଏ ପରିବାରରେ ତିନି ଭାଇଙ୍କ ସହ ହୋଇଥିଲା। ଆଉ ତିନି ଭଉଣୀଙ୍କ ମଧ୍ୟରୁ ଦୁଇ ଜଣ ଗର୍ଭବତୀ ଥିଲେ। କୁହାଯାଉଛି ଝଗଡା କାରଣରୁ ତିନି ଭଉଣୀ ଘରୁ ପଳାଇ ଆସିଥିଲେ। ତିନି ଦିନ ଧରି ସେମାନେ ନିଖୋଜ ଥିଲେ। ମାମଲା ଯାଞ୍ଚ ଜାରି ରହିଥିବା ଏଏସପି ଦିନେଶ କୁମାର ଶର୍ମା କହିଛନ୍ତି।

ସୂଚନା ଅନୁଯାୟୀ, ତିନି ଭଉଣୀଙ୍କ ନାମ କାଲୁ ମୀନା(୨୫), ମମତା ମୀନା(୨୩) ଏବଂ କମଲେଶ ମୀନା(୨୦)। ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ତିନି ଭଉଣୀଙ୍କ ସହ ମୃତ୍ୟୁ ଘଟିଥିବା ଜଣେ ପୁଅର ବୟସ ଚାରି ବର୍ଷ ହୋଇଥିବା ବେଳେ ଆଉ ଏକ ଶିଶୁର ବୟସ ଏକ ମାସରୁ ବି କମ ହେବ। ଘଟଣାରେ ତିନି ଭଉଣୀଙ୍କ ସ୍ଵାମୀ ଏବଂ ଶ୍ଵଶୁର ଘର ଲୋକଙ୍କ ବିରୋଧରେ କେସ୍ ରୁଜୁ କରାଯାଇଛି। ତିନି ଭଉଣୀଙ୍କ ପିତା କହିଛନ୍ତି ଶ୍ଵଶୁର ଘର ଲୋକେ ଯୌତୁକ ପାଇଁ ମୋ ଝିଅମାନଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ତିନି ଝିଅଙ୍କୁ ତାଙ୍କ ସ୍ଵାମୀଙ୍କ ସହ ଅନ୍ୟ ସଂପର୍କୀୟ ମଧ୍ୟ ମାଡ ମାରୁଥିଲେ। ଝିଅଙ୍କ ଜୀବନ ବିପଦରେ ଥିଲା ବୋଲି ମୃତକଙ୍କ ବାପା କହିଛନ୍ତି।

wp:html /wp:html

ଏଫଆଇଆର ଅନୁଯାୟୀ, ତିନି ଝିଅ ଗାଏବ ହେବାର ସୂଚନା ମିଳିବା ମାତ୍ରେ ବାପା ଝିଅଙ୍କ ଶ୍ଵଶୁର ଘର ଗାଁ ଦାଦୁ ପହଞ୍ଚିଥିଲେ। ଝିଅଙ୍କ ବିଷୟରେ ପଚାରିବାରୁ ଶ୍ଵଶୁର ଘର ଲୋକଙ୍କ ସହ ମିଶି ବାହରର ଲୋକେ ଗାଳି ଦେବା ଆରମ୍ଭ କରିଥିଲେ। ତୁମ ଝିଅମାନେ ମରି ସାରିଛନ୍ତି ଏବଂ ସେମାନଙ୍କ ବିଷୟରେ କିଛି ଜାଣିନୁ। ଏଠାରୁ ଚାଲିଯାଅ ନଚେତ୍ ତୁମେ ବି ମରିବ। ପିତାଙ୍କ ଅନୁଯାୟୀ, ବଡ ଝିଅ କାଲୁର ଦୁଇଟି ପୁଅ ଥିଲେ। ଜଣଙ୍କ ବୟସ ଚାରି ବର୍ଷ ହୋଇଥିବା ବେଳେ ଅନ୍ୟଟିର ବୟସ ୨୨ ଦିନ। ମମତା ଏବଂ କମଲେଶ ୮-୯ ମାସ ଗର୍ଭବତୀ ଥିଲେ। ଶ୍ଵଶୁରଘର ଲୋକେ ତାଙ୍କ ଝିଅ ଏବଂ ନାତିଙ୍କୁ ଯୋଜନା ମୁତାବକ ହତ୍ୟା କରିଥିବା ମୃତକଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.