ପୁରୀ ଭାଇଲପୁର ନିକଟରେ ନାଳକୁ ଖସିଲା ବୋଲେରୋ ; ୫ ମୃତ, ୨ ଗୁରୁତର
25/09/2018 at 8:56 AM

ପୁରୀ ୨୫|୯: ପୁରୀ ଚନ୍ଦନପୁର ଥାନା ସୁକଳ ଭାଇଲପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ନାଳକୁ ବୋଲେରୋ ଖସିପଡିବା ଯୋଗୁଁ ୫ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ ଜଣ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ, ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ଗୁରୁତର ଦୁଇ ଜଣଙ୍କୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଅସ୍ଥି ବିସର୍ଜନ ପାଇଁ ଗଞ୍ଜାମ ଜିଲ୍ଲା ଜରଦା ଥାନା ପାତ୍ରପୁର ଇଛାପୁରମ୍ ଅଞ୍ଚଳରୁ ପ୍ରାୟ ୧୭ଜଣ ଏକ ବୋଲେରୋ ଯୋଗେ ପୁରୀ ଆସୁଥିଲେ। ଚନ୍ଦନପୁର ଥାନା ସୁକଳ ଭାଇଲପୁର ନିକଟରେ ହଠାତ୍ ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ ଭାଇଲପୁର ନିକଟ ନାଳକୁ ଖସିପଡିଥିଲା । ଗାଡିଟି ନାଳରେ ସମ୍ପୂର୍ଣ୍ଣ ବୁଡିଯିବା ଯୋଗୁଁ ଘଟଣାସ୍ଥଳରେ ହିଁ ୫ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତରଙ୍କୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ, ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ମୃତକମାନେ ହେଲେ କେ.କ୍ରୀଷ୍ଣା (୫୦), ଜଗଦିସ (୪୦), କେ.ୟାମାବତି (୪୦), ଆବନାନ (୭) ଓ ୟାମାବତି (୫) । ତେବେ ୟାମାବତି ଓ ଆବନାନ ଭାଇଭଉଣୀ ବୋଲି ଜଣାପଡିଛି ।