ନାଗପୁର ହସ୍ପିଟାଲର ଆଇସୋଲେସନ ଓ୍ଵାର୍ଡରୁ ଫେରାର ମାରିଲେ ୫ କରୋନା ସନ୍ଦିଗ୍ଧ, ସହରରେ ଚାଞ୍ଚଲ୍ୟ

Published By : Prameya-News7 Bureau | March 14, 2020 IST

ନାଗପୁର ୧୪।୦୩: ସମଗ୍ର ବିଶ୍ଵରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୮୧ରେ ପହଞ୍ଚିଛି। ଦେଶରେ ଏହି ମାରାତ୍ମକ ଭୂତାଣୁରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ରାଜ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ୍ ଓ ବିଶ୍ଵ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି। ଏହା ମଧ୍ୟରେ ମହାରାଷ୍ଟ୍ରର ନାଗପୁରର ସହରରେ ଏକ ହସ୍ପିଟାଲରୁ ୫ ଜଣ ସନ୍ଦିଗ୍ଧ କରୋନା ରୋଗୀ ଫେରାର ହୋଇ ଯାଇଛନ୍ତି। ଯାହାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୋଲିସ୍ ଏହି ୫ ଜଣଙ୍କ ସନ୍ଧାନ କରି ସେମାନଙ୍କୁ ଠାବ କରିଛି। ଏହି ପାଞ୍ଚ ଜଣ ନାଗପୁରର ମାୟୋ ଜେନେରାଲ ହସ୍ପିଟାଲର ଆଇସୋଲେସନ ଓ୍ଵାର୍ଡରୁ ଫେରାର ମାରିଥିଲେ।

{"id":238256,"width":742,"height":557,"sizeSlug":"large"}

ସେମାନଙ୍କ ମଧ୍ୟରୁ ଜଣଙ୍କ ନମୂନା ନେଗେଟିଭ୍ ଆସିଥିବା ଜଣା ପଡିଛି। ଅନ୍ୟ ଚାରି ଜଣଙ୍କ ରକ୍ତ ନମୂନାର ପରିଣାମକୁ ଅପେକ୍ଷା କରାଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ପୋଲିସ ଦ୍ଵାରା ସେମାନଙ୍କୁ ଠାବ କରାଯାଇଛି ଏବଂ ଶୀଘ୍ର ୫ ସନ୍ଦିଗ୍ଧଙ୍କୁ ହସ୍ପିଟାଲ ଅଣାଯାଉଛି। ନାଗପୁର ପୋଲିସ ଷ୍ଟେସନର ସବ ଇନ୍ସପେକ୍ଟର ଏସ ସୂର୍ଯ୍ୟବଂଶୀ ଏହାର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ନାଗପୁରରେ କରୋନାର ପ୍ରଥମ ପୋଜିଟିଭ ମାମଲା ବୁଧବାର ସାମ୍ନାକୁ ଆସିଥିଲା। ସଂକ୍ରମିତ ଜଣେ ଆଇଟି ହବରେ କାର୍ଯ୍ୟ କରନ୍ତି। ସେ ମାର୍ଚ୍ଚ ୬ରେ  ଆମେରିକାରୁ ଫେରିଥିଲେ ଏବଂ ନିଜକୁ ଅସୁସ୍ଥତା ଅନୁଭବ କରିବା ପରେ ମାୟୋ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଦ୍ୟାବଧି ନାଗପୁର ସହରରେ ୧୬ କରୋନା ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି।

{"id":238257,"width":599,"height":337,"sizeSlug":"large"}

ଆଜି ହସ୍ପିଟାଲରୁ ଖସି ପଳାଇଥିବା ୫ ସନ୍ଦିଗ୍ଧଙ୍କ ମଧ୍ୟରୁ ଦୁଇ ଜଣ ନାଗପୁର ହୋଇଥିବା ବେଳେ ଅନ୍ୟ ତିନି ଜଣ ମୁମ୍ବାଇ, ପୁଣେ ଏବଂ ଅହମ୍ମଦାବାଦର ଅଟନ୍ତି। ସେମାନଙ୍କୁ ରକ୍ତ ନମୂନା ଶୁକ୍ରବାର ପରୀକ୍ଷଣ ଲାଗି ଲ୍ୟାବକୁ ପଠାଯାଇଛି।

ଅନ୍ୟପଟେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ମୁମ୍ବାଇ, ଥାନେ, ନଭି ମୁମ୍ବାଇ, ପୁଣେ, ପିମ୍ପ୍ରି-ଚିନଓ୍ଵାଡ ଏବଂ ନାଗପୁରରେ ଶୁକ୍ରବାର ମଧ୍ୟ ରାତ୍ରରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ସିନେମା  ହଲ, ଥିଏଟର, ଅଡିଟୋରିୟମ, ଜିମ୍ନାସିୟମ ଏବଂ ସୁଇମିଂ ପୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.