ପୁଣି ଭାଙ୍ଗିଲା ବିଶ୍ଵ କପ୍ ଜିତିବାର ସ୍ଵପ୍ନ, ଜାଣନ୍ତୁ ଭାରତ ପରାଜୟର ୫ ବଡ କାରଣ

Published By : Prameya-News7 Bureau | November 10, 2022 IST

ଆଡିଲେଡ୍: ସୁପର-୧୨ ମୁକାବିଲାରେ ଶୀର୍ଷରେ ଥିବା ଭାରତ ସେମି ଫାଇନାଲ୍‌ରେ ଝୁଣ୍ଟିଛି। ଇଂଲଣ୍ଡ ହାତରୁ ଶୋଚନୀୟ ପରାଜୟ ସହ ପୁଣି ଥରେ ଭାରତର ଟି-୨୦ ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି।୨୦୦୭ରେ ପ୍ରଥମ ଟି-୨୦ ବିଶ୍ଵ କପ୍ ଜିତିଥିବା ଭାରତ ଏ ଯାଏଁ କ୍ରିକେଟ୍‌ର ଏହି ଛୋଟ ଫର୍ମାଟରେ ଚାମ୍ପିଅନ ହୋଇ ପାରି ନାହିଁ। ଆଶା କରାଯାଉଥିଲା ଚଳିତ ବିଶ୍ଵ କପ୍ ଜିତି ଭାରତ ଚାମ୍ପିଅନ ହେବା ମରୁଡିର ଅନ୍ତ କରିବ। ହେଲେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ହାରିବା ପରେ ଭାରତ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛି। ଏବେ ନଭେମ୍ବର ୧୩ରେ ଫାଇନାଲ୍ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ରନ ଏବଂ ବିରାଟ କୋହଲିଙ୍କ ୫୦ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା।  ଜବାବରେ ଇଂଲଣ୍ଡ ଆଲେକ୍ସ ହେଲ୍ସଙ୍କ ୮୬ ଏବଂ ବଟଲରଙ୍କ ୮୦ ରନର ଦମଦାର ଇନିଂସ ବଳରେ ମାତ୍ର ୧୬ ଓଭରରେ ବିନା ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ତେବେ କେଉଁ କାରଣ ପାଇଁ ହାରିଲା ଭାରତ। ଚାଲନ୍ତୁ ନଜର ପକାଇ ନେବା।

ବିଫଳ ହେଲେ ଦୁଇ ଓପନର

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଓପନର ପୁଣି ଥରେ ନିରାଶଜନକ ପ୍ରଦର୍ଶନ କରିଥିଲେ। କେଏଲ ରାହୁଲ ୫ ବଲ୍‌ରୁ ୫ ରନ କରି ପାଭିଲିୟନ ଫେରିଥିବା ବେଳେ ରୋହିତ ଶର୍ମା ୨୭ ରନ କରିବା ପାଇଁ ୨୮ ବଲ୍ ଖେଳିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୦ରୁ କମ ରହିଥିଲା। ଯାହାକୁ ଟି-୨୦ କ୍ରିକେଟ୍‌ରେ ଭଲ ଆରମ୍ଭ କୁହାଯାଇ ପାରିବ ନାହିଁ। କାରଣ ପ୍ରଥମ ପାଓ୍ଵାର ପ୍ଲେର ୬ ଓଭରରେ ହିଁ ଫାଇଦା ଉଠାଇବାକୁ ପଡିଥାଏ। ମାତ୍ର ଭାରତ ସେମି ଫାଇନାଲ୍‌ ପରି ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ ଏହାର ଫାଇଦା ଉଠାଇ ପାରିନଥିଲା। ପ୍ରଥମ ୬ ଓଭରରେ ଦଳ ମାତ୍ର ୬୮ ରନ କରିଥିଲା। ଅପରପକ୍ଷେ ଇଂଲଣ୍ଡ ପ୍ରଥମ ୬ ଓଭରରେ ୬୩ ରନ ଯୋଡିଥିଲା।

ବଡ ମଞ୍ଚରେ ବିଫଳ ହେଲେ ସୂର୍ଯ୍ୟ

ସୂର୍ଯ୍ୟକୁମାର ଯାଦବ ଚଳିତ ବିଶ୍ଵ କପ୍‌ରେ ଭାରତ ପାଇଁ ଟ୍ରମ୍ପ କାର୍ଡ ଥିଲେ। ଏ ପର୍ଯ୍ୟନ୍ତ ସେ ଖ୍ୟାତି ଅନୁଯାୟୀ ବ୍ୟାଟିଂ କରିଆସିଥିଲେ। ତେବେ ସେମି ଫାଇନାଲ୍‌ ପରି ବଡ ମଞ୍ଚରେ ସେ ଚାପ  ସମ୍ଭାଳି ପାରିନଥିଲେ। ମାତ୍ର ୧୪ ରନ କରି ପାଭିଲିୟନ ଫେରିଥିଲେ। ଇଂଲଣ୍ଡ ସୂର୍ଯ୍ୟକୁମାରଙ୍କ ପାଇଁ ଖାସ୍ ରଣନୀତି ମଧ୍ୟ ପ୍ରସ୍ତୁତ କରିଥିଲା। ଇଂଲଣ୍ଡ ବୋଲର ସୂର୍ଯ୍ୟକୁ ପୂରା ଇନିଂସରେ ଦ୍ରୁତ ବୋଲିଂ କରୁନଥିଲେ। ଧିମା ବୋଲିଂ କରି ସୂର୍ଯ୍ୟଙ୍କ ବ୍ୟାଟ୍‌ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଥିଲେ। ଆଉ ବଡ ସଟ୍ ଖେଳିବାକୁ ଯାଇ ତରବରିଆ ଭାବେ ଆଉଟ୍ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ। ସେ ଆଦିଲ ରଶିଦଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।

କମାଲ୍ କରି ପାରିଲେନି ବୋଲର

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ରନ ଏବଂ ବିରାଟ କୋହଲିଙ୍କ ୫୦ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ସଭିଙ୍କ ନଜର ଭାରତୀୟ ବୋଲରଙ୍କ ଉପରେ ଥିଲା। କିନ୍ତୁ ଭାରତୀୟ ବୋଲର କମାଲ ଦେଖାଇ ପାରିନଥିଲେ। କୌଣସି ବୋଲର ପାଓ୍ଵାର ପ୍ଲେରେ ଓ୍ଵିକେଟ୍ ହାସଲ କରି ପାରିନଥିଲେ। ନା ଅକ୍ଷର ପଟେଲ୍ ଏବଂ ଅଶ୍ଵିନଙ୍କ ଯୋଡି କାମ ଦେଲା ନା କିଛି ରଣନୀତି। ଅତି ଦୟନୀୟ ପ୍ରଦର୍ଶନ କରିଥିଲେ ଭାରତୀୟ ବୋଲର।

ବଟଲର-ହେଲ୍ସଙ୍କ ଧମାକାଦାର ବ୍ୟାଟିଂ

୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଦଳର ଦୁଇ ଓପନର ଆଲେକ୍ସ ହେଲ୍ସ ଏବଂ ଅଧିନାୟକ ଜୋସ୍ ବଟଲର ଦୃଢ ବ୍ୟାଟିଂ କରିଥିଲେ। ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ପ୍ରତିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ବି ଦେଇନଥିଲେ।ବଟଲର ୪୯ ବଲ୍‌ରୁ ୯ ଚୌକା ଏବଂ ୩ ଛକା ବଳରେ ୮୦ ରନ ଏବଂ ଆଲେକ୍ସ ହେଲ୍ସ ୪୭ ବଲ୍‌ରୁ ୪ ଚୌକା ଏବଂ ୭ ଛକା ସହ ୮୬ ରନର ଅପରାଜିତ ଇନିଂସ ଖେଳି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି।

ଇଂଲଣ୍ଡର ଶାଣିତ ବୋଲିଂ

ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଇଂଲଣ୍ଡର ବୋଲର ରଣନୀତି ଅନୁଯାୟୀ ଭଲ ବୋଲିଂ କରିଥିଲେ। ଇଂରେଜ ବୋଲର ଭାରତୀୟ ବ୍ୟାଟସମ୍ୟାନଙ୍କୁ ହାତ ଖୋଲିବାର ସୁଯୋଗ ଦେଇନଥିଲେ। ଫଳରେ ରନ ଗତି ବଢାଇବା ଚକ୍କରରେ ଭାରତୀୟ ବ୍ୟାଟର ବଡ ସଟ୍ ମାରିବା ପ୍ରୟାସରେ ଆଉଟ୍ ହୋଇଥିଲେ। କ୍ରିସ୍ ଜୋର୍ଡାନ ଏବଂ ସାମ କୁରନଙ୍କୁ ଛାଡି ସମସ୍ତ ବୋଲର ମାପଚୁପ ବୋଲିଂ କରି ଅଧିକ ରନ ବ୍ୟୟ କରିନଥିଲେ। ଏଠାରୁ ହିଁ ଇଂଲଣ୍ଡ ବିଜୟର ମୂଳଦୁଆ ପକାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.