ଡିସେମ୍ବର ୧ରୁ କୋଣାର୍କ ଠାରେ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ, ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ହେବ ବ୍ୟବସ୍ଥା

Published By : Prameya-News7 Bureau | October 27, 2022 IST

ପୁରୀ, ୨୭/୧୦: ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ କୋଣାର୍କ ଠାରେ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ ଆରମ୍ଭ ହେବ। ଏନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷର ଇକୋ ରିଟ୍ରିଟକୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯେଉଁ ବିଭାଗର ଯାହା ଦାୟିତ୍ୱ ତାହାକୁ ନିଷ୍ଠାପର ଓ ସମୟ ପୂର୍ବରୁ ସାରିବାକୁ ଜିଲ୍ଲାପାଳ ପରାମର୍ଶ  ଦେଇଥିଲେ। ପ୍ରତ୍ୟେକ ବିଭାଗ ପ୍ରତ୍ୟେକଙ୍କ ସହ ସମନ୍ବୟ ରଖି କାମ କରି ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ କହିଥିଲେ।

ପର୍ଯ୍ୟଟନ ବିଭାଗ ଜିଲ୍ଲା ପ୍ରଶାସନ ଓ ଇ ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଇକୋ ରିଟ୍ରିଟ୍ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି । ୭୦ ଗୋଟି ଲକଜରି ଟେଣ୍ଟ କରାଯିବ । ଯେଉଁଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ। ଇକୋ ରିଟ୍ରିଟ୍ ସମୟରେ ଜଳକ୍ରିଡା, ବିଚ ସ୍ପୋର୍ଟସ, ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ନିରବଛିନ୍ନ ବିଦ୍ୟୁତ, ପାଣି, ମୋବାଇଲ ନେଟୱାର୍କ ସହ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ।

ପର୍ଯ୍ୟଟକମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ବୋଲି ସ୍ଥିର ହୋଇଛି। ସମସ୍ତ କାର୍ଯ୍ୟକୁ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଆସୁଥିବା ପର୍ଯ୍ୟଟକ ମାନେ ଯେପରି ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ପର୍ଯ୍ୟଟନ ଅଧିକାରୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀଙ୍କ ସହ ଅନ୍ୟାନ୍ୟ ବିଭାଗ, ବିଦ୍ୟୁତ ଡିପାର୍ଟମେଣ୍ଟର ଅଧିକାରୀ ଓ ଇକୋ ରିଟ୍ରିଟର ଆୟୋଜନ କରୁଥିବା ଇ ଫାକ୍ଟରର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.