ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ୪ର୍ଥ ଶ୍ରେଣୀ ଛାତ୍ରୀ

Published By : Prameya-News7 Bureau | September 14, 2018 IST

ଜଗତସିଂହପୁର ୧୪/୯:ସ୍କୁଲରେ ନାଁ ଗଡୁଚି ସତ, ହେଲେ ପ୍ରତି ଦିନ ସ୍କୁଲକୁ ଯିବା ପରିବର୍ତ୍ତେ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ । ଯାହା ସରକାରଙ୍କ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ସ୍ଲୋଗାନ୍ ଉପରେ ଅଙ୍ଗୁଳି ନିର୍ଦେଶ କରିଛି । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ନାରଦିୟା ଅଞ୍ଚଳରେ । ଭିକ ମାଗୁଛନ୍ତି ଛାତ୍ରୀ । ବହି ବସ୍ତାନୀରେ ବନ୍ଧା ହୋଇଛି ଡୋରି । ଦାରିଦ୍ରତା ଦେଉଛି ଦାରୁଣ ଦୁଃଖ । ପାଠ ପଢିବାକୁ ଇଛା ଥିଲେବି ପରିସ୍ଥିତି ସାଜିଛି ବଇରି । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଜିଲ୍ଲାର ବାଲିକୁଦା ବ୍ଲକ ନାରଦିୟା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପାଠ ପଢନ୍ତି ଏହି ଛାତ୍ରୀ । ସ୍କୁଲରେ ତାଙ୍କ ନାଁ ଗଡୁଛି ସତ ହେଲେ ସ୍କୁଲ ଯିବା ପରିବର୍ତ୍ତେ ସବୁଦିନ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ଏହି ଛାତ୍ରୀ ଜଣକ । ବର୍ଷକ ତଳେ ବାପା ଆରପାରିକୁ ଚାଲିଗଲେ । ଘରେ ଦୁଇ ବଡ ଭଉଣୀ, ମାଆ ଓ ବୃଦ୍ଧ ଜେଜେ ବାପା ଓ ଜେଜେ ମାଆ । ଆର୍ଥିକ ଅନଟନ ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇ ପଡିଛି । ଫଳରେ ଦୁଇ ଭଉଣୀ କତା ବଳିବା ଓ ମାଆ ମୁଲ ମଜୁରୀ ଯାଉଥିବା ବେଳେ ଏଇ କୁନି ଝିଅଟି ୮୦ ବର୍ଷର ବୃଦ୍ଧାଜେଜେ ମାଆ ସହିତ ପ୍ରତି ଦିନ ଭିକ ମାଗିବାକୁ ଯାଉଛି । ପାଠ ପଢିବାକୁ ଇଛା ଅଛି, ହେଲେ ଭିକ ନମାଗିଲେ ପରିବାର କେମିତି ଚଳିବ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଏହି ଛାତ୍ରୀ ଜଣକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.