ନୂଆଦିଲ୍ଲୀ: ମନ୍ଦିର ତଳେ ରହସ୍ୟମୟ ଗୁମ୍ଫ । ଇଜିପ୍ଟ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ବାରା ଖନନ ପରେ ବିଶାଳ ସୁଡ଼ଙ୍ଗର ସନ୍ଧାନ ମିଳିଛି । ସୁଡ଼ଙ୍ଗର ଦୈର୍ଘ୍ୟ ୪୮ଶହ ଫୁଟ୍ ହୋଇଥିବାବେଳେ ଏହାର ଉଚ୍ଚତା ୬ଫୁଟ୍ ରହିଛି । ପଥରକୁ ସ୍ତର ସ୍ତର କରି କାଟି ଏହାକୁ ତିଆରି କରାଯାଇଥିବା ଅନୁମାନ କରାଯାଉଛି । ଏହି ସୁଡ଼ଙ୍ଗ ଇଜିପ୍ଟର ପୁରାତନ କୀର୍ତ୍ତିରାଜୀ ତପୋସିରିସ ମୈଗ୍ନା ମନ୍ଦିର ତଳେ ରହିଛି । ଏହାର ନିର୍ମାଣ ଶୈଳୀ ଗ୍ରୀକ୍ର ସାମୋସ ଦ୍ବୀପରେ ମିଳିଥିବା ୟୁପଲିନୋସ୍ ସୁଡ଼ଙ୍ଗ ସହିତ ସମାନତା ରହିଛି । ୟୁପଲିନୋସ୍ ସୁଡ଼ଙ୍ଗ ପ୍ରାଚୀନ ସଭ୍ୟତାର ସବୁଠାରୁ ଉଚ୍ଚକୋଟିର କଳା ଓ ସ୍ଥାପତ୍ୟର ବଳିଷ୍ଠ ପ୍ରମାଣ ।
ମିଶର ଲୋକ ପ୍ରିୟ ରାଣୀ କ୍ଲିୟୋପେଟ୍ରାଙ୍କ ସମାଧି ଖୋଜିବାବେଳେ ସୁଡ଼ଙ୍ଗ ସାମ୍ନାକୁ ଆସିଛି । ପ୍ରାଚୀନ ତପୋସିରିସ ମୈଗ୍ନା ମନ୍ଦିର ତଳେ ଖନନ ସମୟରେ ବିଶାଳ ସୁଡ଼ଙ୍ଗକୁ ଆବିଷ୍କାର କରିଛି ଇଜିପ୍ଟର ପର୍ଯ୍ୟଟନ ମନ୍ତ୍ରଣାଳୟ। ସୈନ ଡେମିଙ୍ଗୋ ବିଶ୍ବବିଦ୍ୟାଳୟର ପ୍ରତ୍ନତତ୍ତ୍ବବିତ୍ କ୍ୟାଥଲିନ୍ ମାଣ୍ଟିନେଜଙ୍କ କହିବା ଅନୁଯାୟୀ, ମିଶର ରାଣୀ କ୍ଲିୟୋପେଟ୍ରା ଓ ତାଙ୍କ ପ୍ରେମିକ ମାର୍କ ଏଣ୍ଟିନିଙ୍କୁ ମାରି ଏକ ମନ୍ଦିର ଭିତରେ ସମାଧି ଦିଆଯାଇଥିଲା । ତେବେ ଏହି ପ୍ରାଚୀନ ମନ୍ଦିର ତଳେ ଥିବା ସୁଡ଼ଙ୍ଗ ମାଧ୍ୟମରେ ଖୋଜିଲେ ରାଣୀଙ୍କ ସମାଧିର ସନ୍ଧାନ ଲଗାଇହେବ ।
ଏହି ପ୍ରାଚୀନ ମନ୍ଦିର ଇଜିପ୍ଟର ଏଲେକ୍ଜେଣ୍ଡ୍ରିଆ ସହର ପାଖରେ ରହିଛି । ପୁରାତନ କାଳରେ ଇଜିପ୍ଟର ରାଜଧାନୀ ଥିଲା ଏଲେକ୍ଜେଣ୍ଡ୍ରିଆ । ମିଶର ଶାସକ ଟାଲେମୀ ଦ୍ବିତୀୟ ଫେଲାଡେଫ୍ଲସ ଏହି ସହରର ସ୍ଥାପନା କରିଥିଲେ । ତେଣୁ ରାଣୀ କ୍ଲିୟୋପେଟ୍ରାଙ୍କ ସମାଧି ଏଠାରେ ମିଳିବାର ବହୁ ସମ୍ଭାବନା ରହିଛି । ଏକ ବିଂଶ ଶତାବ୍ଦୀର ଏହା ସବୁଠାରୁ ବଡ଼ ଅନୁସନ୍ଧାନ ହେବ ବୋଲି କ୍ୟାଥଲିନ୍ ମାଣ୍ଟିନେଜ କହିଛନ୍ତି ।