ବିଶ୍ବର ସବୁଠୁ ବଡ କ୍ରୁଜ୍‌ରେ କରୋନା ବିସ୍ଫୋରଣ, ୪୮ ଯାତ୍ରୀ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | December 21, 2021 IST

ମିୟାମି ୨୧।୧୨: ବିଶ୍ବର ସବୁଠୁ ବଡ କ୍ରୁଜ୍ ଜାହାଜ ରୟାଲ କାରବିଆନର ସିମ୍ପୋନୀ ଅଫ୍ ଦ ସି ରେ ୪୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । କ୍ରୁଜ୍ ଜାହାଜରେ କଡା କୋଭିଡ୍ ନିୟମ ପାଳନ ସତ୍ତ୍ବେ କରୋନା ପସିଛି । ଜାହାଜରେ ୬ ହଜାରରୁ ଅଧିକ ଯାତ୍ରୀ ରହିଥିଲେ । ଏଇ ସପ୍ତାହର ଶେଷରେ ମିୟାମିରୁ ଏହା ଯାତ୍ରା ଆରମ୍ଭ କରିଥିଲା ।

ରୟାଲ କାରବିଆନର ସଞ୍ଚାଳକ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, କ୍ରୁଜରେ କଡା କୋଭିଡ୍ କଟକଣା ସତ୍ତ୍ବେ କରୋନା ସଂକ୍ରମଣ ହୋଇଛି । ଜଣେ ଯାତ୍ରୀଙ୍କ କରୋନା ପରୀକ୍ଷା ହେବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ତାଙ୍କ କଣ୍ଟାକ୍ଟରେ ଆସିଥିବା ଯାତ୍ରୀଙ୍କର ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୮ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।

ଜାହାଜରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ଯାତ୍ରୀ ଟିକା ନେଇସାରିଥିଲେ । ଯେଉଁମାନେ ପଜିଟିଭ୍ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ଯାତ୍ରୀଙ୍କୁ ମଧ୍ୟ ଟିକା ଦିଆଯାଇସାରିଥିଲା ।

କ୍ରୁଜରେ ସଂକ୍ରମିତ ଥିବା ଯାତ୍ରୀଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ରହିଛି ନା ଅନ୍ୟ କୌଣସି ଭାରିଆଣ୍ଟ ତାହା ସ୍ପଷ୍ଟ ହୋଇନାହିଁ । କରୋନା ସଂକ୍ରମିତ ଚିହ୍ନଟ ପରେ କ୍ରୁଜରେ ଥିବା ସମସ୍ତ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ରୟାଲ କାରବିଆନ ପକ୍ଷରୁ ସୂଚନା ମିଳିଛି ଯେ, ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କଡା ନଜର ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.