କଟକରେ କାୟା ବିସ୍ତାର କଲାଣି ଜଣ୍ଡିସ୍ : ଦୂଷିତ ପାନୀୟ ଜଳ ଏବଂ ଜଳବାହୀ ସଂକ୍ରମଣ ମୁଖ୍ୟକାରଣ
27/10/2018 at 7:25 PM

କଟକ ୨୭/୧୦ : କଟକରେ କାୟା ବିସ୍ତାର କଲାଣି ଜଣ୍ଡିସ୍ । ଗଟିଏ ପରେ ଗୋଟିଏ ସାହିକୁ ଡେଉଁଛି ରୋଗ । ପିଇବା ପାଣି ସଙ୍କ୍ରମଣରୁ ଜଣ୍ଡିସ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରଭାବିତ ଅଞ୍ଚଳରୁ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ଜନସ୍ବାସ୍ଥ୍ୟ ବିଭାଗ । ତେବେ ପାଣି ସଙ୍କ୍ରମଣ ଅଭିଯୋଗକୁ ସିଏମସି କମିଶନର ଅସ୍ବୀକାର କରୁଥିବା ବେଳେ ସ୍ବୀକାର କରିଛି ସ୍ବାସ୍ଥ୍ୟ ବିଭାଗ । …
ସାଧାରଣତଃ ଖରା ଦିନେ କଟକ ସହରରେ ଜଣ୍ଡିସର ପ୍ରଭାବ ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ଶୀତ ଦିନେ ଫେରିଛି ଜଣ୍ଡିସ । ଗୋଟିଏ ପରେ ଗୋଟିଏ ସାହିରେ ନିଜର କାୟା ବିସ୍ତାର କଲାଣି ।କାଠଗଡା ସାହିରେ ବର୍ତ୍ତମାନ ସୁଦ୍ଧା ୪୫ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ତିତଲୀ ଜନିତ ବର୍ଷାରେ ପୁରା ସହର ଜଳବନ୍ଦୀ ହୋଇଥିଲା । ଜଳବନ୍ଦୀ ଅଞ୍ଚଳରେ ପିଇବା ପାଣି ସଂକ୍ରମଣରୁ ଜଣ୍ଡିସ ବ୍ୟାପୁଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ଜନସ୍ବାସ୍ଥ୍ୟ ବିଭାଗ କାଠଗଡା ସାହି ଓ ମହା ସାହିରୁ ଜଳନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । କିଛି ରକ୍ତ ନମୂନା ବି ସଂଗ୍ରହ କରାଯାଇଛି ।
ପ୍ରଭାବିତ ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ହାଲୋଜେନି ବଟିକା ବାଣ୍ଟିଛି । ସ୍ବାସ୍ଥ୍ୟ କର୍ମୀମାନେ ବି ସଚେତନତା ରାଲି କରିଛନ୍ତି । ଏଭଳି ସ୍ଥିତିରେ ସିଏମସି କମିଶନର ଓ ସ୍ବାସ୍ଥ୍ୟ କମିଟି କଥାରେ ରହୁନି ତାଳମେଳ । ପିଇବା ପାଣି ସଂକ୍ରମଣକୁ ସିଏମସି କମିଶନର ଅସ୍ବୀକାର କରୁଥିବା ବେଳେ ସ୍ବୀକାର କରିଛି ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷ । ଏବେଠୁ ସଜାଗ ନହେଲେ ଆଗକୁ ପରିସ୍ଥିତି ଭୟାବହ ହେବ ନିଶ୍ଚିତ ।