ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବନ ବିଭାଗକୁ ମିଳିଛି ବଡ ସଫଳତା। ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ସ୍ୱାଭିମାନ ଅଞ୍ଚଳର ରାଲେଗଡା ପଞ୍ଚାୟତର ସାରକୁବନ୍ଧ ଗାଁ ନିକଟରୁ ବାର୍ହା ଶିକାର କରୁଥିବା ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ସହ ୧୦୦ରୁ ଉର୍ଦ୍ଧ୍ବ ବାର୍ହା ଜାଲ, ୪୨ କେଜି ବାର୍ହା ମାଂସ, ଦୁଇଟି ଜୀବନ୍ତ ବାର୍ହା ଶାବକ, ୯ଟି ବାଇକ, ଗୋଟିଏ ଟ୍ରାକ୍ଟର ଜବତ କରିଥିବା ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ବନ ପାଳକ ।
ମିଳିଥିବା ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ବନ ବିଭାଗ ରାଲେଗଡା ପଞ୍ଚାୟତରେ କିଛି ଗ୍ରାମରେ ଗତ କିଛି ଦିନ ହେବ ଜଙ୍ଗଲ ଜନ୍ତୁ ଶିକାର ହେଉଥିବା ସୂଚନା ମିଳିଥିଲା। ଆଜି ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ବନ ଅଧିକରୀଙ୍କ ସହ ୱାଇଲଡ଼ ଲାଇଫ ପାରା ସ୍କ୍ୱାର୍ଡ ମିଳିତ ଭାବେ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ କଟାଯାଇଥିବା ବାର୍ହା ମାଂସ ୪୨ କେଜି ୯୦୦ ଗ୍ରାମ, ଶିକାରରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର, ବାର୍ହା ଫାସ, ବ୍ୟବହାର କରୁଥିବା ୯ଟି ମୋଟର ସାଇକେଲ, ଗୋଟିଏ ଟ୍ରାକ୍ଟର, ଦୁଇଟି ଜୀବନ୍ତ ବାର୍ହା ଶାବକ ଜବତ ହୋଇଛି ।
Also read: ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ସଦ୍ୟତମ ସୂଚନା ଜାରି କଲା ଦିଲ୍ଲୀ ଏମ୍ସ
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କୋତାଉରୁ, ଲିମାତାଙ୍ଗ, ମଣ୍ଡାପାଲି ଏବଂ ପାପର ମେଟଲା ଅଂଚଳର ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ନେଇ ବନପାଳ ନିରଞ୍ଜନ ସାରକା ଗଣ ମାଧ୍ୟମକୁ ସୂଚନା ଦେବା ସହ ଜୀବନ୍ତ ଦୁଇ ବାର୍ହା ଶାବକକୁ ବନ ବିଭାଗ ତରଫରୁ ଉପଯୁକ୍ତ ବ୍ୟବସ୍ଥା କରାଯିବା ପରେ ଜଙ୍ଗଲରେ ଛଡ଼ାଯିବା ନେଇ କହିଛନ୍ତି ବନପାଳ।