ଓଡ଼ିଶା ବିଧାନସଭା ନିର୍ବାଚନରେ ୪୧୨ ଜଣ ପ୍ରାର୍ଥୀ କୋଟିପତି, ଜାଣନ୍ତୁ କିଏ ସବୁଠୁ ଧନୀ

Published By : Prameya-News7 Bureau | May 27, 2024 IST

ଭୁବନେଶ୍ୱର: ସାରା ଦେଶରେ ଜାରି ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ପାଇଁ ମଧ୍ୟ ମତଦାନ ହେଉଛି । ରାଜ୍ୟର ୧୪୭ ବିଧାନସଭା ଆସନ ପାଇଁ ଭୋଟ ହେଉଛି । ଏପରିସ୍ଥଳେ ଚଳିତ ବିଧାନସଭା ନିର୍ବାଚନରେ ମୋଟ ୪୧୨ ଜଣ କୋଟିପତି ପ୍ରାର୍ଥୀ ମୈଦାନରେ ଅଛନ୍ତି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ADR) ଏବଂ ଓଡ଼ିଶା ଇଲେକ୍ସନ ୱାଚ୍ ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୮୩ ଜଣଙ୍କ ନିର୍ବାଚନୀ ସତ୍ୟପାଠର ବିଶ୍ଲେଷଣ କରିଛି ।

ଏଡିଆର ନିଜ ରିପୋର୍ଟରେ କହିଛି ଯେ ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୧୨ (୩୨ ପ୍ରତିଶତ) ପ୍ରାର୍ଥୀ କୋଟିପତି ଅଛନ୍ତି । ଅନ୍ୟପଟେ ୨୦୧୯ ବିଧାନସଭା ନିର୍ବାଚନରେ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦୪ (୨୭ ପ୍ରତିଶତ) ପ୍ରାର୍ଥୀ କୋଟିପତି ଥିଲେ । ଏଥିରେ କୁହାଯାଇଛି ଯେ ବିଜେଡିର ୧୨୮ ପ୍ରାର୍ଥୀ, ବିଜେପିର ୯୬ ପ୍ରାର୍ଥୀ, କଂଗ୍ରେସର ୮୮ ପ୍ରାର୍ଥୀ ଏବଂ ଆମ୍ ଆଦମୀ ପାର୍ଟିର ୧୧ ପ୍ରାର୍ଥୀ ଏକ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୮୯ କୋଟି ଟଙ୍କା । ଅନ୍ୟପଟେ ୨୦୧୯ରେ ନିର୍ବାଚନୀ ମୈଦାନରେ ଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧.୬୯ କୋଟି ଟଙ୍କା ଥିଲା ।

ରିପୋର୍ଟ ଅନୁସାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଓଡ଼ିଶା ବିଧାନସଭା ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ । ରାଉରକେଲା ବିଧାନସଭା ଆସନରେ ବିଜେପି ଟିକଟରେ ଲଢୁଥିବା ଦିଲୀପ ରାୟ ୩୧୩.୫୩ କୋଟି ଟଙ୍କାର ମୋଟ ସମ୍ପତ୍ତି ଘୋଷଣା କରିଛନ୍ତି । ତାଙ୍କ ପଛରେ ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ୨୨୭.୬୭ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି । ତୃତୀୟ ସ୍ଥାନରେ ବସ୍ତା ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ୧୩୫.୧୭ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି । ରିପୋର୍ଟ ଅନୁସାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ୫ ଜଣ ପ୍ରାର୍ଥୀ ନିଜ ସତ୍ୟପାଠରେ ଶୂନ ସମ୍ପତ୍ତି ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.