ଭୁବନେଶ୍ବର ୟୁନିଟ୍-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ବାର୍ଟର, ପିପିପି ମୋଡ୍‌ରେ ହେବ ପୁନଃନିର୍ମାଣ

Published By : Prameya-News7 Bureau | July 25, 2022 IST

ଭୁବନେଶ୍ବର ୨୫।୭: ଭୁବନେଶ୍ବର ୟୁନିଟ୍-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ବାର୍ଟର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଉତ୍ତର ରଖିଛନ୍ତି ।

ଏହିସବୁ କ୍ବାର୍ଟରକୁ ଭାଙ୍ଗି ପିପିପି ମୋଡ୍‌ରେ ପୁନଃନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି । ୟୁନିଟ୍-୬ ଅନ୍ତର୍ଗତ ୫୦ଟି କ୍ବାର୍ଟର ଭଙ୍ଗାଯାଇ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ବର ନିର୍ମାଣ ହେବ । ସେହିଭଳି ୟୁନିଟ୍-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ବାର୍ଟର ଏମଏଲଏ କଲୋନୀରେ ବହୁତଳ ଆବାସିକ କୋଠା ନିର୍ମାଣ କରାଯିବ । ୟୁନିଟ୍-୩ରେ ଭୁବନେଶ୍ବର ମହାନଗର ନିଗମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୨ଟି କ୍ବାର୍ଟର ଓ ୟୁନିଟ୍-୮ ଅନ୍ତର୍ଗତ ୩୬ଟି କ୍ବାର୍ଟର ନିରାପଦ ନଥ‌ିବା ଯୋଗୁଁ ଭଙ୍ଗାଯାଇଛି ।  

ଏହା ବାଦ ୟୁନିଟ୍-୨ରେ ୧୨୪ଟି ଘର ଖାଲି ପଡ଼ିଛି । ଯାହାର ପୁନଃନିର୍ମାଣ ଯୋଜନା ନିମନ୍ତେ ପ୍ରସ୍ତାବ ଥିବାରୁ ଆବଣ୍ଟନ ହୋଇନାହିଁ । ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୧,୩୭୪ଟି କ୍ବାର୍ଟର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.