ମାତ୍ର ୫ଟି ଅଧିବେଶନ ଆଉ ଆଦାନୀ ହରାଇଲେ ସବୁଠୁ ଧନିକର ସମ୍ମାନ, ଗୋଟିଏ ରିପୋର୍ଟରେ ବୁଡିଲା ୪୧ ବିଲିୟନ ଡଲାର
2/02/2023 at 6:00 PM

ନୂଆଦିଲ୍ଲୀ ୨।୨: ବ୍ଲୁମବର୍ଗ ବିଲିୟୋନେୟର ଇଣ୍ଡେକ୍ସ ଅନୁସାରେ ଜାନୁୟାରୀ ୨୫ରୁ ଗୌତମ ଆଦାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ପାଖାପାଖି ୪୧ ବିଲିୟନ ଡଲାର ହ୍ରାସ ହୋଇଛି। ଏହା ଯୋଗୁ ସେ ନା କେବଳ ବିଶ୍ୱର ଟପ୍ ଟେନ୍ ଧନିକଙ୍କୁ ସୂଚୀରୁ ବାଦ ପଡିଛନ୍ତି ମୁକେଶ ଅମ୍ବାନୀଙ୍କ ଠାରୁ ମଧ୍ୟ ସମ୍ପତ୍ତିରେ ପଛେଇ ଯାଇଛନ୍ତି। ଏହାର ଅର୍ଥ ହେଉଛି ଆଦାନୀ ଆଉ ଏସିୟାର ସବୁଠୁ ଧନାଢ୍ୟ ବ୍ୟକ୍ତି ହୋଇ ନାହାନ୍ତି। ତେବେ ତାଙ୍କର ଏପରି ଅବସ୍ଥା କେମିତି ହେଲା ଆସନ୍ତୁ ଜାଣିବା..
ବିଶ୍ୱର ଧନୀକଙ୍କ ସୂଚୀର ୩ ନମ୍ବର ସ୍ଥାନରୁ ୧୩ ନମ୍ବରକୁ ଖସିବାକୁ ଗୌତମ ଆଦାନୀଙ୍କୁ ମାତ୍ର ୫ଟି ସେସନ ଲାଗିଥିଲା। ବ୍ଲୁମବର୍ଗ ବିଲିୟୋନେୟର ଇଣ୍ଡେକ୍ସରେ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ ଚଳିତ ବର୍ଷ ଏପର୍ଯ୍ୟନ୍ତ ୪୮.୫ ବିଲିୟନ ଡଲାର ହରାଇ ସାରିଲେଣି। ଏଣୁ ମୁକେଶ ଅମ୍ବାନୀ ପୁଣି ଥରେ ଏସିଆର ଶ୍ରେଷ୍ଠ ଧନୀକର ସ୍ଥାନ ହାତେଇ ନେଇଛନ୍ତି। ବ୍ଲୁମବର୍ଗ ଅନୁସାରେ ହିଣ୍ଡନବର୍ଗ ରିସର୍ଚ୍ଚ ଦ୍ୱାରା ଟ୍ରିଗର କରାଯାଇଥିବା ରୁଟ୍ ଗତ ସପ୍ତାହରୁ ଆଦାନୀ ଗ୍ରୁପ କମ୍ପାନୀଙ୍କ ମାର୍କେଟରୁ ପାଖାପାଖି ୯୩ବିଲିୟନ ଡଲାର ଚୌପଟ କରିଦେଇଛି।

ହିଣ୍ଡନବର୍ଗ ରିପୋର୍ଟ ପରେ ଗୌତମ ଆଦାନୀଙ୍କ ମୁଖ୍ୟ କମ୍ପାନୀଙ୍କ ସେୟାର ଲଗାତାର ପଞ୍ଚମ ଦିନ ହ୍ରାସର ସମ୍ମୁଖୀନ ହୋଇଛି। ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ବୁଧବାର ପାଖାପାଖି ୨୭ ପ୍ରତିଶତ ହ୍ରାସର ସମ୍ମୁଖୀନ ହୋଇଥିଲା। ଏଥିରେ ଆଦାନୀ ଗ୍ରୁପଙ୍କ ଅନ୍ୟ ୯ ଷ୍ଟକ୍ ୩ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ବ୍ଲୁମବର୍ଗଙ୍କ ତଥ୍ୟ ଉପରେ ନଜର ପକାଇଲେ ଜାନୁୟାରୀ ୨୫ ତାରିଖ ବେଳକୁ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧୩ ବିଲିୟନ ଡଲାର ଥିଲା। ସାଧାରଣତନ୍ତ୍ର ଦିବସ ଯୋଗୁ ଜାନୁୟାରୀ ୨୬ ଛୁଟିଥିଲା। ଏଣୁ ଆଦାନୀଙ୍କ ସମ୍ପତ୍ତି ଉପରେ କୌଣସି ପ୍ରଭାବ ପଡିନଥିଲା। ତେବେ ଜାନୁୟାରୀ ୨୭ ତାରିଖ ଦିନ ଘରୋଇ ସେୟାର ବଜାର ଖୋଲିବା ମାତ୍ରେ ଆଦାନୀ ସମୂହଙ୍କ ସେୟାର ମୂଲ୍ୟ ହ୍ରାସରୁ ଖୋଲିଥିଲା।
ସେୟାର ହ୍ରାସରୁ ଖୋଲିବାର ପ୍ରଭାବ ଆଦାନୀଙ୍କ ନେଟୱର୍ଥ ଉପରେ ପଡିଥିଲା। ଫଳରେ ଦିନକରେ ଆଦାନୀଙ୍କ ମୋଟ ସମ୍ପତ୍ତି ୧୧୩ ବିଲିୟନ ଡଲାରରୁ ହ୍ରାସ ହୋଇ ୯୨.୭ ବିଲିୟନ ଡଲାକୁ ଖସିଥିଲା। ଏହା ପରେ ବଜାର ପୁଣି ଜାନୁୟାରୀ ୩୦ ତାରିଖ ଦିନ ଖୋଲିଥିଲା। ସେଦିନ ମଧ୍ୟ ସେୟାର ମୂଲ୍ୟ ହ୍ରାସ ଆଦାନୀଙ୍କ ନେଟୱାର୍ଥକୁ ୮୪.୪ ବିଲିୟନ ଡଲାରକୁ ଖସିଆସିଥିଲା। ତେବେ ଜାନୁୟାରୀ ୩୧ ତାରିଖ ଦିନ ବଜାରରେ ସାମାନ୍ୟ ସୁଧାର ଦେଖାଯାଇଥିଲା। ଏଣୁ ନେଟୱର୍ଥ ପୁଣି ୮୪.୫ ବିଲିୟନ ଡଲାରକୁ ପହଞ୍ଚିଯାଇଥିଲା। ଏହା ପରେ ଫେବୃଆରୀ ୧ ତାରିଖ ଦିନ ଆଦାନୀ ଗ୍ରୁପର ସେୟାର ହିଣ୍ଡନବର୍ଗ ଖଣ୍ଡିଆଭୂତରେ ପଡିଯାଇଥିଲା। ଥରକରେ ଆଦାନୀଙ୍କ ନେଟୱର୍ଥ ୭୨.୧ ବିଲିୟନ ଡଲାରକୁ ଖସିଆସିଥିଲା। ଉଲ୍ଲେଖଯୋଗ୍ୟ ଯେ ଜାନୁୟାରୀ ୨୫ ତାରିଖ ଦିନ ଆମେରିକାସ୍ଥିତ ସର୍ଟ ସେଲିଂ ଫାର୍ମ ହିଣ୍ଡନବର୍ଗ ରିସର୍ଚ୍ଚ ଆଦାନୀ ସମୂହଙ୍କ ଉପରେ ଷ୍ଟକ୍ ହେରଫେର ଓ ଠକେଇ ନେଇ ରିପୋର୍ଟ ପ୍ରକାଶ କରିଥିଲେ।