WPLର ମେଗା ନିଲାମୀକୁ ନେଇ ବିସିସିଆଇ ବଡ଼ ଘୋଷଣା, ୪୦୯ ଖେଳାଳି ହେବେ ସାମିଲ

Published By : Prameya-News7 Bureau | February 07, 2023 IST

ନୂଆଦିଲ୍ଲୀ: ବିବିସିଆଇ ଡବ୍ଲୁପିଏଲର ପ୍ରଥମ ସିଜିନର ମେଗା ନିଲାମୀକୁ ନେଇ ବଡ଼ ଘୋଷଣା କରିଛି । ଆଇପିଏଲ ପରି ଡବ୍ଲୁପିଏଲ ଚଳିତ ବର୍ଷ ମାର୍ଚ୍ଚ ୪ରୁ ମାର୍ଚ୍ଚ ୨୬ ଯାଏ ମୁମ୍ୱାଇରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଟର ପ୍ରଥମ ପାଇଁ ନିଲାମୀର ଆୟୋଜନ କେବେ, କେଉଁଠାରେ ଏବଂ କେତେ ଜଣ ଖେଳାଳି ନିଲାମୀ ପାଇଁ ସର୍ଟ ଲିଷ୍ଟ ହୋଇଛନ୍ତି ସେ ନେଇ ସୂଚନା ସାମନାକୁ ଆସିଛି ।

ଆଇପିଏଲ ପକ୍ଷରୁ ଜାରି ମିଡିଆ ରିଲିଜ ଅନୁସାରେ ଡବ୍ଲୁପିଏଲର ସମସ୍ତ ମ୍ୟାଚ୍ ମୁମ୍ୱାଇର ବ୍ରେବୋର୍ନ ଷ୍ଟାଡିୟମ ଏବଂ ଡି.ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ସେହିପରି ଡବ୍ଲୁପିଏଲର ପ୍ଲେୟର ଅକ୍ସନ ତାଲିକାରେ ମୋଟ ୪୦୯ ଜଣ କ୍ରିକେଟରଙ୍କୁ ସ୍ଥାନ ମିଳିଛି । ଫେବ୍ରୁଆରୀ ୧୩ରେ ମୁମ୍ୱାଇର ଜିଓ ୱାର୍ଲଡ କନଭେକ୍ସଲ ସେଣ୍ଟରରେ ଡବ୍ଲୁପିଏଲ ଅକ୍ସନ ଆୟୋଜନ କରାଯିବ ।

ଡବ୍ଲୁପିଏଲ ୨୦୨୩ରେ ନିଲାମୀ ପାଇଁ ମୋଟ ୧୫୧୨ ଜଣ ଖେଳାଳି ପଞ୍ଜିକରଣ କରିଥିଲେ । ଏଥିରୁ ୪୦୯ ଖେଳାଳିଙ୍କୁ ସର୍ଟ ଲିଷ୍ଟ କରାଯାଇଛି । ଏଥିରେ ୨୪୬ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ଅଛନ୍ତି । ଏଥିରେ ୮ ଜଣ ଖେଳାଳି ଆସୋସିଏଟ ନେସନରୁ ମଧ୍ୟ ଅଛନ୍ତି । ଏହାଛଡା ୨୦୨ କ୍ୟାପଡ୍ ଖେଳାଳି ଏବଂ ୧୯୯ ଜଣ ଅନକ୍ୟାପଡ୍ ଖେଳାଳି ଅଛନ୍ତି ।

ପାଞ୍ଚଟି ଟିମ ମୋଟ ୯୦ ଜଣ ଖେଳାଳିଙ୍କୁ କିଣିବେ, ଏଥିରେ ୩୦ ବିଦେଶୀ ଖେଳାଳିଙ୍କୁ ସ୍ଥାନ ମିଳିପାରିବ । ୫୦ ଲକ୍ଷ ବେସ ପ୍ରାଇସର ୨୪ ଖେଳାଳି ଅଛନ୍ତି । ଏଥିରେ ଟିମ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୋର, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା ଏବଂ ଭାରତକୁ ଅଣ୍ଡର ୧୯ ଟି-୨୦ ବିଶ୍ୱକପ ଜିତାଇଥିବା ଅଧିନାୟକ ଶେଫାଳି ବର୍ମାଙ୍କ ନାଁ ରହିଛି । ଅନ୍ୟପଟେ ୩୦ ଜଣ ଖେଳାଳି ନିଜକୁ ୪୦ ଲକ୍ଷର ବେସ ପ୍ରାଇସରେ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.