ଭଗବାନଙ୍କ ପାଇଁ ସବୁ କିଛି: ଅଯୋଧ୍ୟା ରାମମନ୍ଦିରରେ ଭକ୍ତ ଦାନ କଲେ ୪୦୦ କିଲୋର ତାଲା, ୩୦ କିଲୋର ଚାବି

Published By : Prameya-News7 Bureau | January 10, 2022 IST

ଆଲୀଗଡ ୧୦/୦୧: ତାଲା ପାଇଁ ପ୍ରସିଦ୍ଧ ଉତ୍ତରପ୍ରଦେଶ ଆଲିଗଡ଼ର ଜ୍ୱାଲାପୁରୀ ନିବାସୀ ସତ୍ୟପ୍ରକାଶ ଶର୍ମା ନାମକ ଜଣେ ବ୍ୟକ୍ତି ପତ୍ନୀ ରୁକ୍ମିଣୀଙ୍କ ସହ ମିଶି ବିଶ୍ୱର ସବୁଠୁ ବଡ଼ ତାଲା ବନାଇଛନ୍ତି । ତା’ର ଓଜନ ୪୦୦ କିଲୋ । ୩୦ କିଲୋର ଚାବିରେ ତାହା ଖୋଲିବ । ଏତେ ବଡ଼ ତାଲାକୁ ଅଯୋଧ୍ୟାରେ ନିର୍ମିତ ହେଉଥିବା ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ସେମାନେ ଉପହାର ଆକାରରେ ଦେବେ ବୋଲି ଜଣାପଡ଼ିଛି ।

ସତ୍ୟପ୍ରକାଶ କହିଛନ୍ତି, ଏହି ତାଲାକୁ ବନାଇବା ଲାଗି ପ୍ରାୟ ୬ ମାସ ସମୟ ଲାଗିଛି । ତାଲାର ଲମ୍ବ ହେଉଛି ୧୦ ଫୁଟ । ଚଉଡ଼ା ସାଢ଼େ ୪ ଫୁଟ । ମୋଟାଇ ଛଅ ଇଞ୍ଚ । ଏହାକୁ ଲୁହାରେ ପ୍ରସ୍ତୁତ କରାଯାଇଥିବାବେଳେ ଦୁଇଟି ଚାବିର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଲାକୁ ବନାଇବାରେ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ରାମମନ୍ଦିରକୁ ପ୍ରଦାନ କରାଯିବା ପୂର୍ବରୁ ସେଥିରେ ଆହୁରି ବହୁ କାମ କରାଯିବ । ପିତ୍ତଳର ବକ୍ସ, ଲିଭର, ହୁଡ୍‌କା ଲାଗିବ ।

ଷ୍ଟିଲର ଷ୍ଟ୍ରାପ୍‌ ସିଟ୍‌ ଲଗାଯିବ ଯେପରିକି କଳଙ୍କି ଲାଗିବ ନାହିଁ । ସେଥିଲାଗି ଆହୁରି ଅର୍ଥର ଆବଶ୍ୟକତା ଥିବାରୁ ଆମେ ଲୋକଙ୍କଠାରୁ ସହାୟତା ନେଉଛୁ । ମନ୍ଦିରର ସଂଗ୍ରହାଳୟରେ ଏହି ତାଲା ସ୍ଥାନ ପାଇବା ଲାଗି ମୋର ଇଚ୍ଛା ଅଛି । ଏହାଦ୍ୱାରା ଆଲିଗଡ଼ର ଗୌରବ ବୃଦ୍ଧି ହେବ ବୋଲି ସେ ପ୍ରକାଶ କରିଛନ୍ତି । ସତ୍ୟପ୍ରକାଶ ମଧ୍ୟ ଜାନୁଆରୀ ୨୬ ତାରିଖରେ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ୍‌ରେ ଏହାଠାରୁ ବଡ଼ ତାଲାର ପ୍ରଜ୍ଞାପନ ମେଢ଼ କରିବାକୁ ଆଶା ରଖିଛନ୍ତି ।

ସେହି ତାଲା ୧୫ ଫୁଟ ଉଚ୍ଚ ଓ ୮ ଫୁଟ ଚଉଡ଼ାର ହେବ । ମୋଟାଇ ୨୦ ଇଞ୍ଚ ରହିବ । ଏଥିଲାଗି ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ବି ଲେଖିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ସେହିପରି ତାଲା ତିଆରି କରି ଗିନିଜ୍‌ ରେକର୍ଡରେ ସ୍ଥାନ ପାଇବାକୁ ବି ତାଙ୍କର ଲକ୍ଷ୍ୟ ରହିଛି । ସୂଚନାଥାଉକି, ଏହା ପୂର୍ବରୁ ସତ୍ୟପ୍ରକାଶ ୩୦୦ କେଜିର ତାଲା ବନାଇ ରେକର୍ଡ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.